ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲ୍ ନେଲା ଦିଲ୍ଲୀ ପୋଲିସ, ୨୦ ଦିନ ଧରି ଅନଶନରେ ବସିଥିଲେ

0

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତରରେ ୨୦ ଦିନ ଧରି ଅନଶନରେ ଥିବା ଶିକ୍ଷା ଓ ପରିବେଶବିତ୍ ସୋନମ ୱାଙ୍ଗଚୁକଙ୍କୁ ଉଠାଇ ନେଇଛି ପୋଲିସ । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶନିବାର ସକାଳେ ବହୁ ସଂଖ୍ୟାରେ ଦିଲ୍ଲୀ ପୋଲିସର ଯବାନ ଜନ୍ତର ମନ୍ତରରେ ପହଞ୍ଚିଥିଲେ । ଏହା ପରେ ସୋନମ ୱାଙ୍ଗଚୁକ୍ ଏବଂ ତାଙ୍କ ସହିତ ଥିବା ଅନ୍ୟମାନଙ୍କୁ ସେଠାରୁ ହଟାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି ସମୟରେ ଏକ ଅରାଜକତା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା । ପୋଲିସ ୨୦ ଦିନ ଧରି ଅନଶନରେ ଥିବା ସୋନମ ୱାଙ୍ଗଚୁକଙ୍କୁ ହସ୍ପିଟାଲ ନେଇଛି ।

ଉଲ୍ଲେଖଯୋଗ୍ୟ ଯେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଲଗାତାର ଖରାପ ହେଉଥିଲା । ତାଙ୍କ ଓଜନ ୯ କିଲୋରୁ ଅଧିକ ହ୍ରାସ ପାଇଥିଲା । ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ପୋଲିସ ସୋନମ ୱାଙ୍ଗଚୁକଙ୍କୁ ଚିକିତ୍ସା ପାଇଁ ସଫଦରଜଙ୍ଗ ହସ୍ପିଟାଲ ନେଇଛି ।

ସୋନମ ୱାଙ୍ଗଚୁକଙ୍କୁ ଜନ୍ତର ମନ୍ତରରୁ ହଟାଇବା ସମ୍ପର୍କରେ, ଦିଲ୍ଲୀ ପୋଲିସ ଏକ୍ସରେ ପୋଷ୍ଟ କରିଛି । ପୋଷ୍ଟରେ ଲେଖା ଅଛି, “ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଡାକ୍ତରୀ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ, ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆବଶ୍ୟକୀୟ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ସମୟରେ, ପ୍ରଦର୍ଶନକାରୀମାନେ ପ୍ରକ୍ରିୟାକୁ ବାଧା ଦେବାକୁ ଚେଷ୍ଟା କରିଥିଲେ, ଫଳରେ କିଛି ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ତେବେ, ପୋଲିସ ସଂଯମତା ଅବଲମ୍ବନ କରି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସୁରକ୍ଷିତ ଭାବରେ ସମାପ୍ତ କରିଥିଲା । ଆମେ ଜନ୍ତର ମନ୍ତରରେ ଉପସ୍ଥିତ ପ୍ରଦର୍ଶନକାରୀଙ୍କୁ ଯଥାଶୀଘ୍ର ଶାନ୍ତିପୂର୍ଣ୍ଣ ଭାବରେ ଅଞ୍ଚଳ ଖାଲି କରିବାକୁ ନିବେଦନ କରୁଛୁ ।”

ସେପଟ ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଜେ.ଆଙ୍ଗମୋ କହିଛନ୍ତି ଯେ ପରିବାର, ଡାକ୍ତର ଏବଂ ତାଙ୍କ ସମ୍ମତି ବିନା ୱାଙ୍ଗଚୁକଙ୍କୁ କୌଣସି ଔଷଧ ଦିଆଯିବା ଉଚିତ୍ ନୁହେଁ । ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ବ୍ୟକ୍ତିଗତ ଭାବରେ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ଏବଂ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି ।

Leave A Reply

Your email address will not be published.