ଅଭିନେତାରୁ ରାଜନେତା, ଏବେ ହେଲେ ଗାୟକ ଆକାଶ ଦାସନାୟକ
ପ୍ରଥମେ ଅଭିନୟ ଜଗତରେ ପାଦ ଥାପି ଜଣେ ସଫଳ ନାୟକ ଭାବେ ଓଲିଉଡ଼ରେ ନିଜର ବେଶ ଭଲ ପରିଚୟ ସୃଷ୍ଟି କରିଥିଲେ ଅଭିନେତା ଆକାଶ ଦାସ ନାୟକ l ବାପା ଜଣେ ଶ୍ରମିକ ନେତା ହୋଇଥିବାରୁ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜସେବା ପ୍ରତି ପାଦ ବଢ଼େଇଲେ l ଜଣେ ଭଲ ରାଜନେତା ଭାବରେ ମଧ୍ୟ ଉଚ୍ଚ ପ୍ରଶଂସିତ ହେଲେ l ତେବେ ତାଙ୍କର ଗୀତ ଗାଇବାର ଦୀର୍ଘଦିନର ସ୍ୱପ୍ନ ଏବେ ବାସ୍ତବତାରେ ପୂରଣ ହୋଇଛି । ଜଣେ ପ୍ରଚ୍ଛଦପଟ ଗାୟକ ଭାବରେ ନୁହେଁ ବରଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ଭକ୍ତି ଗୀତ ଗାଇ ନିଜକୁ ଧନ୍ୟ ମନେ କରିଛନ୍ତି l
ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦଙ୍କ ରଚନା ଓ ସଙ୍ଗୀତ ନିର୍ଦ୍ଦେଶନାରେ ପ୍ରସ୍ତୁତ ଭକ୍ତି ଗୀତରେ ଆକାଶ କଣ୍ଠଦାନ କରିଛନ୍ତି ଯାହା ପବିତ୍ର ରଥଯାତ୍ରା ଅବସରରେ ମୁକ୍ତିଲାଭ କରିଛି । ଆକାଶଙ୍କ ଧର୍ମପତ୍ନୀ ଶ୍ରୀମତୀ ଶୁଭ୍ରଜ୍ୟୋତି ଦାସନାୟକଙ୍କ ଉଦ୍ୟମ ଓ ପ୍ରଯୋଜନାରେ ନିର୍ମାଣ ହୋଇଥିବା ଏହି ମ୍ୟୁଜିକ୍ ଭିଡିଓର ନିର୍ଦ୍ଦେଶନା ଦେଇଛନ୍ତି ସ୍ମୃତି ଆର୍ । ଆକାଶ ଦାସ ନାୟକ ଏବଂ ସ୍ମୃତି ଏଥିରେ ଅଭିନୟ କରିଛନ୍ତି l
ଆକାଶଙ୍କ ସ୍ୱପ୍ନକୁ ଉଡାଣ ଦେବା ପାଇଁ ସିଦ୍ଧାର୍ଥ ମ୍ୟୁଜିକର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସିଦ୍ଧାର୍ଥ ଅଗ୍ରୱାଲ ଉତ୍ସାହିତ କରିଥିବାରୁ ତାଙ୍କ ପ୍ରତି ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଶ୍ରୋତା ତଥା ଦର୍ଶକମାନଙ୍କର ସ୍ନେହ, ଆଶୀର୍ବାଦ ଓ ଭଲପାଇବା ହିଁ ସବୁଠାରୁ ବଡ଼ ପ୍ରେରଣା ବୋଲି ଆକାଶ ଦାସ ନାୟକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l ଏହି ଭକ୍ତି ଗୀତଟିକୁ ସିଦ୍ଧାର୍ଥ ୟୁଟ୍ୟୁବ ଚ୍ୟାନେଲରେ ଦର୍ଶକ ଦେଖିବାକୁ ପାଇବେ ଏବଂ କମେଣ୍ଟ ମାଧ୍ୟମରେ ଆନ୍ତରିକ ଶୁଭେଚ୍ଛା ଜଣାଇବେ ବୋଲି ପ୍ରକାଶ କରିଛନ୍ତି l