ଅମୀୟ ପଟ୍ଟନାୟକ ପ୍ରଡକସନ୍ସର ନୂତନ ଅବଦାନ: ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀ ‘ଏତିକି ଥିଲା’*

0

ଓଡ଼ିଆ ସିନେମା ଜଗତରେ ବିଗତ କିଛି ବର୍ଷ ଧରି ଉଚ୍ଚମାନର ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଉଥିବା ଓଲିଉଡର ପ୍ରସିଦ୍ଧ ପ୍ରଯୋଜନା ସଂସ୍ଥା ‘ଅମୀୟ ପଟ୍ଟନାୟକ ପ୍ରଡକସନ୍ସ’ ଏବେ ନିଜର ଏକ ନୂଆ ଚଳଚ୍ଚିତ୍ରର ଘୋଷଣା କରି ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ାଇ ଦେଇଛନ୍ତି । ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ଏହି ପ୍ରଯୋଜନା ସଂସ୍ଥାର ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ‘ଏତିକି ଥିଲା’ ର ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ ହୋଇଯାଇଛି।

ସଂସ୍ଥାର ପୁରୁଣା ପରମ୍ପରାକୁ ବଜାୟ ରଖି ଭୁବନେଶ୍ୱରର ନୂଆପଲ୍ଲୀ ସ୍ଥିତ ଆରାଧ୍ୟ ଦେବତା ସଙ୍କଟ ମୋଚନ ହନୁମାନ ମନ୍ଦିରରେ ଏହି ପୂଜା ସମ୍ପନ୍ନ ହୋଇଛି। କୌଣସି ବି ନୂଆ ସିନେମା ଆରମ୍ଭ କରିବା ପୂର୍ବରୁ ଏଠାରେ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ନେବା ପ୍ରଯୋଜନା ସଂସ୍ଥାର ଏକ ନିଆରା ପରମ୍ପରା। ଏହି ପବିତ୍ର କାର୍ଯ୍ୟକ୍ରମରେ ପ୍ରଯୋଜନା ସଂସ୍ଥାର ସମସ୍ତ ସଦସ୍ୟ ଏକତ୍ରିତ ହୋଇ ସିନେମାର ଆଗାମୀ ଯାତ୍ରାର ସଫଳତା କାମନା କରିଥିଲେ।

ଆଧୁନିକ ଓଡ଼ିଆ ଦର୍ଶକ ସର୍ବଦା ନୂଆ କାହାଣୀ ଖୋଜୁଛନ୍ତି। ତାହାକୁ ଦୃଷ୍ଟିରେ ରଖି ନିର୍ମାଣ ହେବାକୁ ଯାଉଥିବା ‘ଏତିକି ଥିଲା’ ହେଉଛି ଏକ ଆବେଗପୂର୍ଣ୍ଣ ଏବଂ ଜଟିଳ ଲଭ୍ ଷ୍ଟୋରୀ ବା ପ୍ରେମ କାହାଣୀ। ଏହି ସିନେମାରେ ମୁଖ୍ୟ ଭୂମିକାରେ ବର୍ଷା ପଟ୍ଟନାୟକ, ପ୍ରତିଭାବାନ ଅଭିନେତା ଦୀପନ୍ୱିତ ଦାଶମହାପାତ୍ର ଏବଂ ଅଭିଷେକ ପଣ୍ଡା ପ୍ରମୁଖ ନଜର ଆସିବେ। ବହୁ ଚର୍ଚ୍ଚିତ ସିନେମା ‘ଇନ୍ଦ୍ରଧନୁ’ର ସଫଳ ନିର୍ଦ୍ଦେଶକ ଅର୍ଜୁନ ସାମନ୍ତରାୟ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଥିବା ବେଳେ ପ୍ରଯୋଜକ ଅନୁପମ ପଟ୍ଟନାୟକ ଏବଂ ବର୍ଷା ପଟ୍ଟନାୟକ ଏହାର ନିର୍ମାଣ କରୁଛନ୍ତି। ସେହିପରି ଦର୍ଶକଙ୍କୁ ଏକ ଶ୍ରୁତିମଧୁର ତଥା ଦୃଶ୍ୟପଟ୍ଟର ଚମତ୍କାର ଅନୁଭୂତି ଦେବା ପାଇଁ ସଙ୍ଗୀତ ନିର୍ଦ୍ଦେଶକ ସନ୍ଦୀପ ପଣ୍ଡା ସଙ୍ଗୀତ ସଜାଇ ଥିବା ବେଳେ ବିଷ୍ଣୁ ସାହୁ ସିନେମାଟୋଗ୍ରାଫି ଭାର ସମ୍ଭାଳିବେ। ଏହାର କାର୍ଯ୍ୟକାରୀ ପ୍ରଯୋଜକ ଗୋପାଳ ଚନ୍ଦ୍ର ଘଡ଼ାଇ ଥିବା ବେଳେ କ୍ରି୍ଏଟିଭ ହେଡ଼ ଏବଂ ମିଡ଼ିଆ ପ୍ଲାନର ରହିଛନ୍ତି ପ୍ରଣୟ ଜେଠୀ l

ସୂଚନାଯୋଗ୍ୟ ଯେ, ଅମୀୟ ପଟ୍ଟନାୟକ ପ୍ରଡକସନ୍ସର ପୂର୍ବ ଚଳଚ୍ଚିତ୍ର ‘ମନ୍ତ୍ରମୁଗ୍ଧ’ ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ସାବ୍ୟସ୍ତ ହୋଇଥିଲା। କେବଳ ସେତିକି ନୁହେଁ, ଆସନ୍ତା ୨୦୨୬ ମସିହା ସେପ୍ଟେମ୍ବର ୧୧ ତାରିଖ ଅର୍ଥାତ୍ ଗଣେଶ ପୂଜା ଅବସରରେ ଏହି ବ୍ୟାନରର ବହୁ ପ୍ରତୀକ୍ଷିତ ହରର୍-ଥ୍ରିଲର୍ ସିନେମା ‘ଦହନ- ଦି ଇଭିଲ୍ ୱିଦିନ୍’ ମଧ୍ୟ ପରଦାକୁ ଆସିବାକୁ ପ୍ରସ୍ତୁତ ହେଉଛି। ଏହି ସଫଳତାର ଧାରାରେ ‘ଏତିକି ଥିଲା’ ଏକ ନୂଆ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ଏବଂ ଦର୍ଶକଙ୍କୁ ଏକ ସତେଜ ତଥା ଅର୍ଥପୂର୍ଣ୍ଣ କାହାଣୀ ଭେଟିଦେବ ବୋଲି ସମୀକ୍ଷକମାନେ ଆଶା ବାନ୍ଧିଛନ୍ତି।

ଖୁବଶୀଘ୍ର ‘ଏତିକି ଥିଲା’ ଚଳଚ୍ଚିତ୍ରର ଫୋଟୋଗ୍ରାଫି ଆରମ୍ଭ ହେବାକୁ ଯାଉଛି। ଆଗାମୀ ଦିନରେ ଏହାର ଅନ୍ୟାନ୍ୟ କଳାକାର, ସଙ୍ଗୀତ ଏବଂ ରିଲିଜ୍ ତାରିଖ ସମ୍ପର୍କରେ ଘୋଷଣା କରାଯିବ ବୋଲି ନିର୍ମାତା ସୂଚନା ଦେଇଛନ୍ତି। ଉନ୍ନତମାନର କାହାଣୀ ଓ ଚିତ୍ରନାଟ୍ୟ ମାଧ୍ୟମରେ ‘ଏତିକି ଥିଲା’ ନିଶ୍ଚିତ ରୂପେ ଓଡ଼ିଆ ସିନେ ପ୍ରେମୀଙ୍କ ହୃଦୟ ଜିଣିବାରେ ସଫଳ ହେବ ବୋଲି ପ୍ରଯୋଜନ ସଂସ୍ଥା କହିଛି ।

Leave A Reply

Your email address will not be published.