ଜୀ ସାର୍ଥକ’ରେ ପ୍ରଥମ ଥର ପାଇଁ ଅଗଷ୍ଟ ୯ ତାରିଖ, ରବିବାର ସନ୍ଧ୍ୟା ୬:୩୦ ରେ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ଦେଖନ୍ତୁ ‘ଡଟ୍ପେନ୍’ ।
ଚଳଚ୍ଚିତ୍ର ହେଉଛି ସମାଜ ଓ ମାନବୀୟ ସମ୍ପର୍କର ଏକ ଜୀବନ୍ତ ଦର୍ପଣ। ଏହି ପରିପ୍ରେକ୍ଷୀରେ ଓଲିଉଡରେ ଏପରି ଅନେକ ଚଳଚ୍ଚିତ୍ର ନିର୍ମାଣ ହୋଇଛି, ଯାହା ଦର୍ଶକଙ୍କ ହୃଦୟକୁ ଛୁଇଁପାରିଛି। ସେହିପରି ଏକ ଚର୍ଚ୍ଚିତ ତଥା ଆବେଗପୂର୍ଣ୍ଣ ଚଳଚ୍ଚିତ୍ର ହେଉଛି ‘ଡଟ୍ପେନ୍’। ଏହା କେବଳ ଏକ ସାଧାରଣ କାହାଣୀ ନୁହେଁ, ଏହି କାହାଣୀ ଭଲପାଇବାରୁ ଆରମ୍ଭ ହୋଇ ପ୍ରତିଶୋଧରେ ହୁଏ ଶେଷ… ଏ କେମିତିକା ପ୍ରେମ ? ଆସନ୍ତା ଅଗଷ୍ଟ ୯ ତାରିଖ ରବିବାର ସନ୍ଧ୍ୟା ୬:୩୦ ରେ ଲୋକପ୍ରିୟ ଚ୍ୟାନେଲ ‘ଜୀ ସାର୍ଥକ’ ମାଧ୍ୟମରେ ଏହାର ୱାର୍ଲଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି, ଯାହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି।

ଏହି ଚଳଚ୍ଚିତ୍ରର ମୂଳ କାହାଣୀ ବାଦଲ ତ୍ରିପାଠୀ (ଜ୍ୟୋତି ରଞ୍ଜନ ନାୟକ) ଏବଂ ତାଙ୍କର ଅତି ଗେହ୍ଲା ଭଉଣୀ ମିତା (ଦିବ୍ୟା)ଙ୍କ ପାରିବାରିକ ସମ୍ପର୍କ ଉପରେ ଆଧାରିତ। ବାଦଲର ସମଗ୍ର ଦୁନିଆ ତା’ର ଭଉଣୀକୁ କେନ୍ଦ୍ର କରି ଗଢ଼ି ଉଠିଛି। କିନ୍ତୁ ହଠାତ୍ ଏକ ଅପ୍ରତ୍ୟାଶିତ ଦୁର୍ଘଟଣା ସେମାନଙ୍କ ଖୁସିର ସଂସାରକୁ ଉଜାଡ଼ି ଦିଏ। ଏହି ଭୟଙ୍କର ଆଘାତ ବାଦଲକୁ ଏକ ନୂଆ ରାସ୍ତା ବାଛିବାକୁ ବାଧ୍ୟ କରେ—ଯାହା ହେଉଛି ନ୍ୟାୟ ଏବଂ ପ୍ରତିଶୋଧର ରାସ୍ତା। ତା’ର ଏହି ସଂଘର୍ଷମୟ ଯାତ୍ରାରେ ଜଗୁ (ରୋହନ ଗର୍ଗ) ଯିଏ କି ମିତାର ସ୍ୱାମୀ, ବାଦଲର ଭାଗ୍ୟକୁ ଏକ ନୂଆ ମୋଡ଼ ଦେଇଥାଏ। ଏଥିସହ ମୀରା (ପ୍ରୀତି ବିଶ୍ୱାଳ), ସନ୍ତୁ (ସନ୍ତୁ ନିଜେ), ମାମୁ (ଶକ୍ତି ବରାଳ) ଏବଂ ଜଗୁଙ୍କ ମା’ (ପ୍ରିୟମ୍ବଦା ଅପା)ଙ୍କ ପରି ଚରିତ୍ରମାନେ ଏହି କାହାଣୀକୁ ଆହୁରି ମଜବୁତ ଓ ଜୀବନ୍ତ କରିଛନ୍ତି।
ହେଲେ ଫିଲ୍ମ ର ନାଁ ‘ଡଟ୍ପେନ୍’? ଏହି ପେନ୍ର ଗୁରୁତ୍ୱ କ’ଣ, ତାହା ହିଁ ଚଳଚ୍ଚିତ୍ରର ମୁଖ୍ୟ ସସପେନ୍ସ। ଆଗରୁ ଆକ୍ସନ, ଇମୋସନ ଏବଂ ପାରିବାରିକ ମୂଲ୍ୟବୋଧର ଏହି ସୁନ୍ଦର ମିଶ୍ରଣ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିବାରେ ସଫଳ ହୋଇଥିଲା ସିନେମା ହଲ୍ରେ। ଯେଉଁମାନେ ସିନେମା ହଲ୍ରେ ଏହି ଶ୍ରେଷ୍ଠ ଚଳଚ୍ଚିତ୍ରଟିକୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଜ଼ୀ ସାର୍ଥକ ଏହି ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ଏହି ବିଶେଷ ପ୍ରସାରଣ ଉପଲକ୍ଷେ ‘ଜୀ ସାର୍ଥକ’ର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀଯୁକ୍ତ ରାହୁଲ ରାଓ ଓଡ଼ିଶାର ଅଗଣିତ ଦର୍ଶକମାନଙ୍କୁ ଏକ ଆନ୍ତରିକ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, “ଜୀ ସାର୍ଥକ ସର୍ବଦା ଓଡ଼ିଆ ଦର୍ଶକମାନଙ୍କୁ ଉଚ୍ଚକୋଟୀର ମନୋରଞ୍ଜନ ପ୍ରଦାନ କରିବାକୁ ପ୍ରତିଶୃତିବଦ୍ଧ। ମୋର ଓଡ଼ିଶାର ସମସ୍ତ ପରିବାରବର୍ଗଙ୍କୁ ଅନୁରୋଧ, ଆପଣମାନେ ଅଗଷ୍ଟ ୦୯ ତାରିଖ ରବିବାର ସନ୍ଧ୍ୟା 6:30ଟାରେ ସପରିବାର ଏକାଠି ବସି ଏହି ପ୍ରିମିୟରର ମଜା ନିଅନ୍ତୁ ।”