୧୩ରୁ ୧୬ ଅଗଷ୍ଟ ଭିଜିବ ଦେଶ , ବଢ଼ିବ ପ୍ରବଳ ବର୍ଷାର ପ୍ରଭାବ
ପାଣିପାଗ ଆକଳନ ଅନୁସାରେ ଅଗଷ୍ଟ ୧୩ ଓ ୧୪ ତାରିଖରେ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ରେ ବର୍ଷା ବଢ଼ିବା ସମ୍ଭାବନା ରହିଛି । କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ମଧ୍ୟ ହୋଇପାରେ । ଅଗଷ୍ଟ ୧୫ରୁ ବର୍ଷାର ପ୍ରଭାବ ପୂର୍ବ ଉତ୍ତରପ୍ରଦେଶ ଓ ପୂର୍ବ ମଧ୍ୟପ୍ରଦେଶ ଦିଗକୁ ବଢ଼ିପାରେ । ଏପଟେ ଆଜି ମଧ୍ୟ ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ଓଡ଼ିଶାର କିଛି ଅଞ୍ଚଳରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ପୂର୍ବ ରାଜସ୍ଥାନ, ଗାଙ୍ଗୀୟ ପଶ୍ଚିମବଙ୍ଗ, ମଧ୍ୟ ମହାରାଷ୍ଟ୍ର ଓ ଓଡ଼ିଶା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବା ରିପୋର୍ଟରେ କୁହାଯାଇଛି । ତେବେ ଅଗଷ୍ଟ ୧୬ ପରେ ମୌସୁମୀ ଟ୍ରଫ୍ ଉତ୍ତର ଦିଗକୁ ସରିପାରେ । ଏହାର ପ୍ରଭାବରେ ବିହାର, ନେପାଳ, ପୂର୍ବ ଉତ୍ତରପ୍ରଦେଶର ପାଦଦେଶ ଏବଂ ହିମାଳୟ ସଂଲଗ୍ନ ଅଞ୍ଚଳରେ ବର୍ଷା ବଢ଼ିବାର ସମ୍ଭାବନା ରହିଛି। ଏହି ବର୍ଷା ଅବଧି ପ୍ରାୟ ଅଗଷ୍ଟ ୨୦ ପର୍ଯ୍ୟନ୍ତ ଜାରି ରହିପାରେ ।