ଏଲପିଜି ସିଲିଣ୍ଡର e-KYCର ଆଜି ଶେଷ ଦିନ, ନକଲେ ଦେବାକୁ ପଡ଼ିପାରେ ଅଧିକ ଦାମ୍
ଘରୋଇ ଏଲପିଜି ଗ୍ୟାସ୍ କନେକ୍ସନଧାରୀଙ୍କ ପାଇଁ ଆଧାର ଭିତ୍ତିକ e-KYC କରାଇବାର ଆଜି (୧୬ ଅଗଷ୍ଟ ୨୦୨୬) ଶେଷ ଦିନ । ଯଦି ଆଜି ରାତି ୧୨ଟା ସୁଦ୍ଧା e-KYC ନକରନ୍ତି, ତେବେ ଗ୍ରାହକଙ୍କୁ ଗ୍ୟାସ୍ ସିଲିଣ୍ଡର ପାଇଁ ଅଧିକ ଦାମ୍ ଦେବାକୁ ପଡ଼ିପାରେ । ଏହାସହ e-KYC ନକଲେ ଗ୍ୟାସ୍ ବୁକିଂ ମଧ୍ୟ ବନ୍ଦ ହୋଇପାରେ । ଉଜ୍ଜ୍ୱଳା କନେକ୍ସନଧାରୀମାନେ ମଧ୍ୟ ସମସ୍ୟାରେ ପଡ଼ିପାରନ୍ତି । ଏହି ନିୟମ ସମସ୍ତ ଘରୋଇ ଏଲପିଜି ଗ୍ୟାସ୍ କନେକ୍ସନଧାରୀଙ୍କ ପାଇଁ ଲାଗୁ ହେବ । e-KYC ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ଉପାୟରେ କରାଯାଇପାରିବ ।
ଘରେ ବସି ମୋବାଇଲ୍ରେ କିପରି କରିବେ ଏଲପିଜି e-KYC?
ଏଲପିଜି e-KYC ପ୍ରକ୍ରିୟା ବେଶ୍ ସହଜ । ପ୍ରଥମେ ଆପଣଙ୍କ ଗ୍ୟାସ୍ କମ୍ପାନୀର ଆପ୍ ମୋବାଇଲ୍ରେ ଡାଉନଲୋଡ୍ କରନ୍ତୁ । ଏଚପି ଗ୍ୟାସ, ଇଣ୍ଡେନ କିମ୍ବା ଭାରତ ଗ୍ୟାସ ଗ୍ରାହକ ସମ୍ପୃକ୍ତ ଆପ୍ ବ୍ୟବହାର କରିପାରିବେ ।
ଏହାସହ Face Authentication ପାଇଁ Aadhaar FaceRD ଆପ୍ ମଧ୍ୟ ଡାଉନଲୋଡ୍ କରିବାକୁ ପଡ଼ିବ । ଆପ୍ ଖୋଲିବା ପରେ e-KYC କିମ୍ବା Aadhaar Authentication ବିକଳ୍ପ ଚୟନ କରନ୍ତୁ ।
ଏହାପରେ ଆଧାର ଭେରିଫିକେସନ୍ ପ୍ରକ୍ରିୟା ଆରମ୍ଭ ହେବ । Face Authentication ପାଇଁ ଆପଣଙ୍କୁ Aadhaar FaceRD ଆପ୍କୁ ପଠାଯିବ ।
ମୋବାଇଲ୍ କ୍ୟାମେରା ଆପଣଙ୍କ ମୁହଁ ସ୍କାନ୍ କରିବ । ଏହି ସମୟରେ କ୍ୟାମେରା ସାମ୍ନାରେ ସିଧା ରୁହନ୍ତୁ ଏବଂ ସ୍କ୍ରିନ୍ରେ ଦିଆଯାଇଥିବା ନିର୍ଦ୍ଦେଶ ପାଳନ କରନ୍ତୁ । ପରିଚୟ ଯାଞ୍ଚ ପାଇଁ ପ୍ରାୟ ୧–୨ ସେକେଣ୍ଡ ପର୍ଯ୍ୟନ୍ତ ଆଖି ପତାଇବାକୁ କୁହାଯାଇପାରେ।
Face Authentication ସଫଳ ହେବା ପରେ ଗ୍ୟାସ୍ କମ୍ପାନୀର ଆପ୍ ରେ e-KYC ସମ୍ପୂର୍ଣ୍ଣ ହୋଇଥିବା ମେସେଜ୍ ଦେଖାଯିବ । ଯଦି Face Authentication ବିଫଳ ହୁଏ, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପ୍କୁ ପୁଣି ଖୋଲି ପ୍ରକ୍ରିୟାକୁ ଦୋହରାଇପାରିବେ ।
କେବଳ Face Authentication କରିଦେଲେ e-KYC ସମ୍ପୂର୍ଣ୍ଣ ହୋଇଗଲା ବୋଲି ଧରିନିଅନ୍ତୁ ନାହିଁ । ଯଦି ଷ୍ଟାଟସ୍ Successful ଦେଖାଯାଉନାହିଁ, ତେବେ ଗ୍ୟାସ୍ ଏଜେନ୍ସି ସହ ଯୋଗାଯୋଗ କରି e-KYC ନିଶ୍ଚିତ କରନ୍ତୁ ।
ଏଲପିଜି e-KYCର ଅଫଲାଇନ୍ ଉପାୟ:
. ମୋବାଇଲ୍ ଆପ୍ ମାଧ୍ୟମରେ e-KYC କରିବାରେ ସମସ୍ୟା ହେଲେ ଅଫଲାଇନ୍ରେ ମଧ୍ୟ e-KYC କରାଇପାରିବେ ।
. ଏଥିପାଇଁ ଗ୍ୟାସ୍ ଏଜେନ୍ସିକୁ ଯାଇ Biometric Authentication କରାଇପାରିବେ । ଏହାସହ ଡେଲିଭରି କର୍ମଚାରୀ ଘରକୁ ସିଲିଣ୍ଡର ଦେବାକୁ ଆସିଲେ, ତାଙ୍କ ପାଖରେ ଥିବା ଡିଭାଇସ୍ ମାଧ୍ୟମରେ ମଧ୍ୟ Biometric Authentication କରାଇପାରିବେ ।