ତାମିଲନାଡୁ : ତାମିଲନାଡୁ ବିଧାୟକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିଜୟଙ୍କ ବଡ ଉପହାର । ବିଧାନସଭାରେ ବିଧାୟକମାନଙ୍କ ପାଇଁ ଏକାଧିକ ସୁବିଧା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟର ସମସ୍ତ ବିଧାୟକଙ୍କୁ ନୂଆ ସରକାରୀ କାର ସହ ଜଣେ ଲେଖାଏଁ ଡ୍ରାଇଭର ଯୋଗାଇ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଘୋଷଣା କରିଛନ୍ତି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସମସ୍ତ ବିଧାୟକ ନିଜ ନିଜ ବିଧାନସଭା କ୍ଷେତ୍ରରେ ଜନତାଙ୍କ ଅଭିଯୋଗ ଶୁଣାଣି, ସରକାରୀ ଯୋଜନାର ତଦାରଖ ଏବଂ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସରକାରୀ ଗାଡ଼ି ଏବଂ ମାସିକ ଭତ୍ତା ଯୋଗାଇ ଦିଆଯିବ । ତାହା ସହ କାରର ଭରଣପୋଷଣ ପାଇଁ ପ୍ରତିମାସ ୭୫,୦୦୦ଟଙ୍କା ସହ ଜଣେ ଅଫିସ ସହାୟକଙ୍କ ପାଇଁ ଅତିରିକ୍ତ ୨୫,୦୦୦ଟଙ୍କା ଦିଆଯିବ । ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀକୁ ଯାଇ ଲୋକଙ୍କ ଅଭିଯୋଗ ଶୁଣିବା ସହ ବିକାଶମୂଳକ କାର୍ଯ୍ୟଗୁଡିକର ତଦାରଖ କରିବାରେ ସହାୟକ ହେବ ।
ସେହିପରି ସ୍ୱାସ୍ଥ୍ୟ ବୀମା ଯୋଜନାରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଜୟ ବଡ଼ ଘୋଷଣା କରିଛନ୍ତି । ବାର୍ଷିକ ଚିକିତ୍ସା ବୀମା କଭରେଜକୁ ୫ ଲକ୍ଷରୁ ବଢ଼ାଇ୨୫ ଲକ୍ଷ କରିଛନ୍ତି । ଫଳରେ ହିତାଧିକାରୀମାନେ ପୂର୍ବ ତୁଳନାରେ ପାଞ୍ଚ ଗୁଣା ଅଧିକ ବୀମା ସୁବିଧା ପାଇପାରିବେ । ମୁଖ୍ୟମନ୍ତ୍ରୀ ଏହି ଘୋଷଣା ରାଜ୍ୟରେ ସ୍ବାସ୍ଥ୍ୟ ସୁବିଧା, ଦୁଗ୍ଧ ଉତ୍ପାଦକ ଏବଂ ବିଧାୟକଙ୍କ ଅଞ୍ଚଳ କାମକାର୍ଯ୍ୟ ସହିତ ଜଡିତ ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ଭାବେ ଦେଖାଯିବ ।
କାଟ୍ଟୁମାନାରକୋଇଲର ଭିସିକେ ବିଧାୟକ ଏଲ୍.ଇ.ଜୋଥିମଣିଙ୍କ ଦାବି ପରେ ଏହି ପ୍ରସ୍ତାବ ସାମ୍ନାକୁ ଆସିଛି । ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁସାରେ, ଅନେକ ବିଧାୟକ ବିଶେଷକରି ପ୍ରଥମ ଥର ନିର୍ବାଚିତ ଜନପ୍ରତିନିଧିମାନେ ନିଜ ନିର୍ବାଚନମଣ୍ଡଳୀକୁ ଯିବା ପାଇଁ ବସରେ ଯାତ୍ରା କରୁଛନ୍ତି କିମ୍ୱା ଘରୋଇ ଟ୍ୟାକ୍ସି ଭଡ଼ା କରୁଛନ୍ତି । ନବନିର୍ବାଚିତ ବିଧାୟକମାନଙ୍କ କହିବା ଅନୁସାରେ, ସରକାରୀ ଗାଡ଼ି ନଥିବାରୁ ନିଜ ନିର୍ବାଚନମଣ୍ଡଳୀରେ ଲୋକଙ୍କ ଓ ଅଧିକାରୀଙ୍କ ସହ ଭେଟିବାରେ ସେମାନଙ୍କୁ ସମସ୍ୟା ହେଉଛି । ସେମାନଙ୍କ ମତରେ, ସରକାରୀ କାର୍ ମିଳିଲେ ସେମାନେ ଲୋକଙ୍କ ସମସ୍ୟା ନିକଟରେ ଶୀଘ୍ର ପହଞ୍ଚିପାରିବେ ।