୧୯ ପାଳି ସୁଦ୍ଧା ୯୫% ସମାଧାନ, ଜିଲ୍ଲାସ୍ତରରେ ୮୭% ଅଭିଯୋଗର ସମାଧାନ

0

ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ୨୦ତମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ୧୦ ଜଣ ମନ୍ତ୍ରୀଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆଜି ୬ ଶହରୁ ଅଧିକ ଅଭିଯୋଗ ଆସିଛି । ସମସ୍ତଙ୍କ ସହ ଆଲୋଚନା କରି ଏହାର ସମାଧାନ ପାଇଁ ବ୍ୟବସ୍ଥା କରାଯାଇଛି । ୧୬ ଜଣକୁ ଭିନ୍ନକ୍ଷମ ଓ ଜଟିଳ ରୋଗରେ ପୀଡିତ ଥିବା ରୋଗୀଙ୍କ ଚିକିତ୍ସା ପାଇଁ ସିଙ୍ଗିଲ ଓ୍ଵିନଡୋ ସିଷ୍ଟମ ମାଧ୍ୟମରେ ୧୪ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶି ଦିଆଯାଇଛି । ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲା ସ୍ତରରେ ଆସିଥିବା ଅଭିଯୋଗ ଗୁଡିକରୁ ୮୭ ପ୍ରତିଶତ ସମାଧାନ ହୋଇଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ସରକାର ହେଉଛି ଲୋକଙ୍କ ସରକାର। ଲୋକଙ୍କ ସମସ୍ୟାକୁ ସହୃଦୟତାର ସହ ଶୁଣି ତା’ର ସମାଧାନ କରିବାକୁ ଆମ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଯେଉଁଠି ଲୋକଙ୍କ ସମସ୍ୟା ଅଛି, ଆମ ସରକାର ସେଠାରେ ନିଶ୍ଚୟ ପହଞ୍ଚିଥାନ୍ତି। ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସବୁବେଳେ ଲୋକଙ୍କ ପାଖରେ ଆମେ ପହଞ୍ଚୁଛୁ ଓ ସେମାନଙ୍କୁ ସହାୟତା ପ୍ରଦାନ କରୁଛୁ। ୨୦୨୪ ମସିହାର ଅଦିନିଆ ବର୍ଷାକୁ ପ୍ରାକୃତିକ ବିପର୍ଯ୍ୟୟ ରୂପେ ଘୋଷଣା କରି ଆମେ ସହାୟତା ପ୍ରଦାନ କରିଥିଲୁ। ଚଳିତ ବନ୍ୟା ପାଇଁ ମଧ୍ୟ ସହାୟତା ପ୍ୟାକେଜ ପ୍ରଦାନ କରିଛୁ। ଆମ ସରକାର ଲୋକଙ୍କ ସୁଖ ଦୁଃଖରେ ଅଛି ଓ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ପୂର୍ବରୁ ରାଜ୍ୟସ୍ତରରେ ଅନୁଷ୍ଠିତ ୧୯ଟି ପାଳିରେ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିବା ୧୫,୩୨୭ ଅଭିଯୋଗ ମଧ୍ୟରୁ ୧୪,୫୧୯ ଅର୍ଥାତ ୯୫ ପ୍ରତିଶତ ଅଭିଯୋଗର ସଫଳ ସମାଧାନ କରାଯାଇସାରିଛି । ଏଥି ସହିତ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍.ପି ମାନେ ନିୟମିତ ଭାବେ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣୁଥିବା ବେଳେ ତହସିଲ ଓ ବ୍ଲକ ସ୍ତରରେ ମଧ୍ୟ ଅଭିଯୋଗ ଶୁଣାଣି ନିୟମିତ ରୂପେ ଚାଲିଛି। ଜିଲ୍ଲାସ୍ତରରେ ଜୁଲାଇ ମାସ ଶେଷ ସୁଦ୍ଧା ୨,୬୯,୩୯୪ ଅଭିଯୋଗ ଶୁଣାଣି ହୋଇ ୮୭ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଜିଲ୍ଲାସ୍ତରରେ ଅନେକ ସମସ୍ୟାର ସମାଧାନ ହୋଇଯାଉଥିବାରୁ ଲୋକଙ୍କୁ ଆଉ ଅଯଥା ହଇରାଣ ହେବାକୁ ପଡୁନାହିଁ। ପ୍ରଶାସନିକ ବ୍ୟବସ୍ଥାରେ ଏହି ପରିବର୍ତ୍ତନ ଫଳରେ ସରକାରଙ୍କ ଉପରେ ସାଧାରଣ ଲୋକଙ୍କ ଭରସା ଓ ଆସ୍ଥା ବହୁଗୁଣିତ ହୋଇଛି।

Leave A Reply

Your email address will not be published.