ସୁନା ଖଣିରେ ଏୟାରଷ୍ଟ୍ରାଇକ: ୭୨ ଶ୍ରମିକ ନିହତ

0

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସୁଦାନରେ ଏକ ବଡ଼ଧରଣର ବିମାନ ଆକ୍ରମଣ ଘଟିଛି। ସୁଦାନ-ମିଶର ସୀମାନ୍ତବର୍ତ୍ତୀ ଏକ ବିବାଦୀୟ ଅଞ୍ଚଳରେ ଥିବା ସୁନା ଖଣି ଉପରେ ହୋଇଥିବା ଏହି ଏୟାରଷ୍ଟ୍ରାଇକରେ ୭୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ବହୁ ଲୋକ ଗୁରୁତର ଆହତ ହୋଇଛନ୍ତି। ‘ଇମରଜେନ୍ସି ଲୟାର୍ସ’ ନାମକ ସଂଗଠନ ଏହି ଆକ୍ରମଣ ପାଇଁ ମିଶର ବାୟୁସେନାକୁ ଦାୟୀ କରିଛି। ବିମାନ ଆକ୍ରମଣରୁ ବର୍ତ୍ତିଯାଇଥିବା ଶ୍ରମିକମାନେ ଅତ୍ୟନ୍ତ ଭୟଭୀତ ହୋଇ ପାହାଡ଼ରେ ଲୁଚି ରହିଥିଲେ। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ, ଲଢ଼ୁଆ ବିମାନଟି ଖଣି ଉପରେ ପାଞ୍ଚ ଥର ବୋମାମାଡ଼ କରିଥିଲା।

ଆକ୍ରମଣ ସମୟରେ ହଜାରରୁ ଅଧିକ ଶ୍ରମିକ ବିଭିନ୍ନ ସ୍ଥାନରେ କାମ କରୁଥିବାରୁ ମୃତାହତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା କରାଯାଉଛି। ଘଟଣାସ୍ଥଳରେ ରାସ୍ତା ଉପରେ ବହୁ କ୍ଷତବିକ୍ଷତ ମୃତଦେହ ପଡ଼ିରହିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ଜୁନ୍ ମାସରେ ମଧ୍ୟ ମିଶର ସୀମା ନିକଟସ୍ଥ ଜାବାଲ ଅଲ-ଉକାୟଦାତ ଅଞ୍ଚଳରେ ଏକ ଅଣଲାଇସେନ୍ସପ୍ରାପ୍ତ ସୁନା ଖଣି ଉପରେ ଏହିପରି ଆକ୍ରମଣ ହୋଇଥିଲା।

Leave A Reply

Your email address will not be published.