ଶ୍ରୀନଗର (ଆମ ଟିଭି): ଜାମ୍ମୁକାଶ୍ମୀର ଗସ୍ତରେ ଅଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ତାଙ୍କର ଆଜି ଏହି ଗସ୍ତର ଦ୍ୱିତୀୟ ଦିନରେ ରାଜୌରୀରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ସେ ଜମ୍ମୁକଶ୍ମୀରର ପାହାଡି ସମ୍ପ୍ରଦାୟର ଲୋକଙ୍କ ପାଇଁ ଏସଟି ସଂରକ୍ଷଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଜଷ୍ଟିସ୍ ଶର୍ମା ଆୟୋଗର ସୁପାରିଶ ଅନୁଯାୟୀ କାର୍ୟ୍ୟ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପ୍ରକ୍ରିୟା ଶେଷ ହେବା ମାତ୍ରେ ପାହାଡି ସମ୍ପ୍ରଦାୟର ଲୋକମାନେ ସଂରକ୍ଷଣ ପାଇବେ। ସେ କହିଛନ୍ତି ଯେ ଧାରା ୩୭୦ ରଦ୍ଦ ହେବା ପରେ ଏହା ସମ୍ଭବ ହୋଇପାରିଛି ।
ଏହି ସମାବେଶକୁ ସମ୍ବୋଧିତ କରି ଅମିତ ଶାହା କହିଛନ୍ତି ଯେ ପୂର୍ବରୁ ଜମ୍ମୁକଶ୍ମୀରରେ କେବଳ ତିନୋଟି ପରିବାରର ଶାସନ ଥିଲା। ସେମାନେ କହିଥଲେ ଯେ ଯଦି ଧାରା ୩୭୦ ରଦ୍ଦ ହୁଏ ତେବେ ରକ୍ତର ନଦୀ ପ୍ରବାହିତ ହେବ, କିନ୍ତୁ ଏହିପରି କିଛି ହୋଇ ନାହିଁ। ଧାରା ୩୭୦ ରଦ୍ଦ ହେବା ପରଠାରୁ ଗତ ତିନିବର୍ଷ ମଧ୍ୟରେ ୭୨୧ଟି ଆତଙ୍କବାଦ ଘଟଣା ଘଟିଛି। ଏହା ପୂର୍ବରୁ ଗତ ତିନିବର୍ଷ ମଧ୍ୟରେ ଆତଙ୍କବାଦୀ ଆକ୍ରମଣର ସଂଖ୍ୟା ୪୦୦୦ ରୁ ଅଧିକ ଥିଲା। ଆତଙ୍କବାଦୀଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଯାନର ଏହା ହେଉଛି ଫଳାଫଳ। ଅମିତ ଶାହା କହିଛନ୍ତି ଯେ ଜମ୍ମୁକଶ୍ମୀରରେ ଆପଣ ପୂର୍ବରୁ ପୁଲିସ ଉପରକୁ ପଥର ଫିଙ୍ଗିବା ଖବର ପଢୁଥିଲେ, କିନ୍ତୁ ବର୍ତ୍ତମାନ ମୋଦୀ ଜୀ ସେମାନଙ୍କ ହାତରୁ ପଥର ନେଇ ଯୁବକମାନଙ୍କୁ ଲାପଟପ ଦେଇଛନ୍ତି ।