କାଠମାଣ୍ଡୁ : ନେପାଳ ପ୍ରଳୟକୁ ଆଠ ଦିନ ବିତିଲାଣି । ସମୟ ଯେତିକି ଗଡୁଛି, ଆଶଙ୍କା ସେତିକି ବଢ଼ୁଛି । ମୃତ୍ୟୁସଂଖ୍ୟା ପ୍ରାୟ ୧୧ଶହ ଟପିଲାଣି। ଧ୍ବଂସାବଶେଷ ତଳୁ ଖୋଜାଚାଲିଛି ଜୀବନର ସନ୍ଧାନ । ଭଗ୍ନାବଶେଷ ମଧ୍ୟରୁ ଲୋକଙ୍କୁ ଉଦ୍ଧାର କରାଯାଉଛି । ଅଗଷ୍ଟ ୨୬ ତାରିଖରେ ଭୀଷଣ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ଏବେ ବି ହଜାର ହଜାର ଲୋକଙ୍କ ମିଳୁନି ପତ୍ତା। ଟନେଲରେ ଫସିରହିଛନ୍ତି ଶହ ଶହ ଲୋକ।
ଧ୍ୱଂସସ୍ତୂପ, ନଦୀକୂଳ, ଦୁର୍ଗମ ଗାଁଠୁ ଆରମ୍ଭ କରି ଜଳବିଦ୍ୟୁତ୍ ପ୍ରକଳ୍ପର ଟନେଲ୍ ପର୍ଯ୍ୟନ୍ତ ଚାଲିଛି ସନ୍ଧାନ ଓ ଉଦ୍ଧାର ଅଭିଯାନ। ହେଲିକପ୍ଟର, ଡ୍ରୋନ୍ ଆଉ ସ୍ନିଫର ଡଗ ସାହାଯ୍ୟରେ ଚାଲିଛି ସର୍ଚ୍ଚ ଅପରେସନ । ୨୬ ତାରିଖରେ ନେପାଳ-ତିବ୍ବତ ସୀମା ନିକଟରେ ବିଶାଳ ବରଫ ଓ ପଥର ଖଣ୍ଡ ଖସିବା ପରେ ହଠାତ୍ ପ୍ରବଳ ଜଳସ୍ରୋତ ଓ ମାଟି ଓ ପଥରର ସୁଅ ମାଡ଼ି ଆସିଥିଲା । ଭୋଟେକୋଶୀ ଓ ତ୍ରିଶୂଳୀ ନଦୀ ଦେଇ ତଳମୁଣ୍ଡକୁ ମାଡ଼ିଯାଇ ରସୁୱା, ନୁୱାକୋଟ, ଧାଦିଙ୍ଗ, ଗୋର୍ଖା, ତନହୁଁ, ନୱଲପରାସୀ ଓ ଚିତୱନ ସମେତ ବିସ୍ତୀର୍ଣ୍ଣ ଅଞ୍ଚଳରେ ଭୟଙ୍କର କ୍ଷୟକ୍ଷତି ହୋଇଥିଲା ।
ପ୍ରଳୟଙ୍କାରୀ ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁସଂଖ୍ୟା ୧୧ଶହ ଟପିଲାଣି। ପ୍ରାୟ ୪ ହଜାରରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ରେସକ୍ୟୁ ଅପରେସନକୁ ଜୋରଦାର କରାଯାଇଛି। ଏ ପର୍ଯ୍ୟନ୍ତ ୧୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଉଦ୍ଧାରକାରୀଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇଛି ଖରାପ ପାଗ ଓ ଭାଙ୍ଗି ଯାଇଥିବା ରାସ୍ତା ଓ ସେତୁ । ଅତିକମରେ ୧୯ଟି ସେତୁ ଧ୍ୱଂସ ହୋଇଥିବା ବେଳେ ଅନେକ ପ୍ରମୁଖ ରାଜପଥ ବିଚ୍ଛିନ୍ନ ହୋଇଛି । ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଜୀବନ ବଞ୍ଚାଇବାକୁ ସଂଗ୍ରାମ ଚାଲିଛି । ଭାରତ ସମେତ ଚୀନ, ବ୍ରିଟେନ୍, କାନାଡା, ଆମେରିକା, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଓ ସିଙ୍ଗାପୁର ଭଳି ଦେଶ ଉଦ୍ଧାରକାରୀ ଦଳ, ଯନ୍ତ୍ରପାତି ଓ ଆର୍ଥିକ ସହାୟତା ପଠାଇଛନ୍ତି। ଏସବୁ ଭିତରେ କିଛି ନଦୀର ଜଳସ୍ତର ବଢ଼ିବାକୁ ୭ ଜିଲ୍ଲାକୁ ବନ୍ୟା ଆଲର୍ଟ ଜାରି ହୋଇଛି ।