ଏଚସିଜି କ୍ୟାନସର ସେଣ୍ଟର କଟକ ପକ୍ଷରୁ ଅତ୍ୟାଧୁନିକ ‘ରୋବୋଟିକ୍ ସର୍ଜରୀ ସିଷ୍ଟମ୍’ର ଶୁଭାରମ୍ଭ

0

ଓଡ଼ିଶାରେ କର୍କଟ ରୋଗୀଙ୍କୁ ଅତ୍ୟାଧୁନିକ ତଥା ଉନ୍ନତମାନର ସର୍ଜିକାଲ୍ ଚିକିତ୍ସା ଯୋଗାଇଦେବା ଲକ୍ଷ୍ୟରେ କଟକ ସ୍ଥିତ ଏଚସିଜି କ୍ୟାନସର ସେଣ୍ଟର ପକ୍ଷରୁ ଏକ ନୂତନ ରୋବୋଟିକ୍-ଆସିଷ୍ଟେଡ୍ ସର୍ଜିକାଲ୍ ପ୍ଲାଟଫର୍ମ ଆରମ୍ଭ କରାଯାଇଛି। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ‘ଏସଏସଆଇ ମନ୍ତ୍ର’ ରୋବୋଟିକ୍ ସର୍ଜିକାଲ୍ ସିଷ୍ଟମ୍ ମାଧ୍ୟମରେ କର୍କଟ ଶଲ୍ୟ ଚିକିତ୍ସକମାନେ ଏହା ଜରିଆରେ ଅଧିକ ନିଖୁଣ ଏବଂ ସଠିକତାର ସହ ଜଟିଳ ଅସ୍ତ୍ରୋପଚାର କରିପାରିବେ ଯାହାର ଏକ ଥ୍ରୀ-ଡି ଭିଜୁଆଲାଇଜେସନ୍ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିଙ୍କୁ ଦେଖିବାକୁ ମିଳିଥିଲା ।

ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ଏଚସିଜି କ୍ୟାନସର ହସ୍ପିଟାଲର ଆଞ୍ଚଳିକ ବ୍ୟବସାୟ ମୁଖ୍ୟ (ଇଷ୍ଟ୍ ଏବଂ ଏପି) ଡକ୍ଟର ରୂପାଲି ବସୁ କହିଛନ୍ତି ଯେ, “ଓଡ଼ିଶାର ରୋଗୀମାନଙ୍କୁ ଉନ୍ନତମାନର କର୍କଟ ଚିକିତ୍ସା ପ୍ରଦାନ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆମର ଡାକ୍ତରୀ ଦଳ ଜଟିଳ ଅସ୍ତ୍ରୋପଚାରକୁ ଅତି ନିଖୁଣ ଭାବରେ କରିପାରିବେ। ଏହାଦ୍ୱାରା ରୋଗୀମାନଙ୍କୁ ନିଜ ଘର ପାଖରେ ଅତ୍ୟାଧୁନିକ ଚିକିତ୍ସା ମିଳିପାରିବ ଏବଂ ବିଶେଷଜ୍ଞ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାର ଆବଶ୍ୟକତା କମିବ।”

 

ପ୍ରାଥମିକ ପର୍ଯ୍ୟାୟରେ ଏହି ପ୍ଲାଟଫର୍ମ ମାଧ୍ୟମରେ ୟୁରୋ-ଅଙ୍କୋଲୋଜି, କୋଲୋରେକ୍ଟାଲ୍ ଏବଂ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନାଲ୍ ଅଙ୍କୋଲୋଜି ସହିତ ଗାଇନେକୋଲୋଜିକାଲ୍ ଅଙ୍କୋଲୋଜି ଭଳି ବିଭାଗରେ ରୋବୋଟିକ୍ ଅସ୍ତ୍ରୋପଚାର କରାଯିବ। ତେବେ ରୋଗୀର କର୍କଟ ରୋଗର ପ୍ରକାର, ଷ୍ଟେଜ୍ ଓ ସାମଗ୍ରିକ ଅବସ୍ଥାକୁ ଦୃଷ୍ଟିରେ ରଖି ଡାକ୍ତରମାନେ ରୋବୋଟିକ୍ ସର୍ଜରୀର ନିଷ୍ପତ୍ତି ନେବେ ବୋଲି ହସ୍ପିଟାଲ ପକ୍ଷରୁ ସ୍ପଷ୍ଟ କରାଯାଇଛି।

 

ଏହି କାର୍ଯ୍ୟକ୍ରମରେ ଏଚସିଜି କ୍ୟାନସର ସେଣ୍ଟରର ସିଇଓ ଡକ୍ଟର ସ୍ମିତା ପାଢ଼ୀଙ୍କ ସମେତ ସର୍ଜିକାଲ୍ ଅଙ୍କୋଲୋଜି ପରାମର୍ଶଦାତା ଡକ୍ଟର ମଞ୍ଜୁନାଥ, ଡକ୍ଟର ବିକାଶ ନାୟକ, ଡକ୍ଟର ସଂଗ୍ରାମ କେଶରୀ ପଣ୍ଡା ଏବଂ ଡକ୍ଟର ଜ୍ୟୋତିରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଅତ୍ୟାଧୁନିକ ଜ୍ଞାନକୌଶଳର ଏହି ଶୁଭାରମ୍ଭ ଓଡ଼ିଶାର କର୍କଟ ରୋଗୀମାନଙ୍କ ପାଇଁ ଏକ ନୂଆ ଆଶାର ସଞ୍ଚାର କରିବ।

Leave A Reply

Your email address will not be published.