ମୁମ୍ବାଇରେ ଓଡ଼ିଶାର ଜୟଗାନ: ଅଜୟ ଦେବଗନ୍ଙ୍କ ହାତରୁ ‘ଇଣ୍ଟରନାସନାଲ ଗ୍ଲୋରୀ ଆୱାର୍ଡସ୍-୨୦୨୬’ ଗ୍ରହଣ କଲା ‘ଗ୍ରୀନ୍ ଚିଲିଜ୍’
ଭୁବନେଶ୍ୱର, ଓଡ଼ିଶା: ମୁମ୍ବାଇର ନୋଭୋଟେଲ୍ ଜୁହୁ ଠାରେ ଅନୁଷ୍ଠିତ ଅତି ମର୍ଯ୍ୟାଦାଜନକ ଜାତୀୟ ସମାରୋହ ‘ଇଣ୍ଟରନାସନାଲ ଗ୍ଲୋରୀ ଆୱାର୍ଡସ୍ (IGA) ୨୦୨୬’ ରେ ଓଡ଼ିଶାର ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ ତଥା କ୍ୟୁଏସ୍ଆର୍ ବ୍ରାଣ୍ଡ୍ ‘ଗ୍ରୀନ୍ ଚିଲିଜ୍’କୁ ଜାତୀୟ ସ୍ତରରେ ଗୌରବାନ୍ୱିତ କରାଯାଇଛି। ଖାଦ୍ୟ, ଆତିଥ୍ୟ ଏବଂ କ୍ୟାଟରିଂ ସେକ୍ଟରରେ ଅନନ୍ୟ ଅବଦାନ ପାଇଁ ସଂସ୍ଥାକୁ ରାଜ୍ୟର “ମୋଷ୍ଟ ପ୍ରମିଜିଂ କ୍ୟାଟରିଂ ସର୍ଭିସେସ୍ କ୍ୟୁଏସ୍ଆର୍ ରେଷ୍ଟୁରାଣ୍ଟ ଚେନ୍ ଅଫ୍ ଦି ଇୟର୍- ୨୦୨୬” ପ୍ରତିଷ୍ଠିତ ଆୱାର୍ଡ ପ୍ରଦାନ କରାଯାଇଛି।
ବଲିଉଡ୍ ସୁପରଷ୍ଟାର୍ ତଥା ପଦ୍ମଶ୍ରୀ ଅଜୟ ଦେବଗନ୍ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଗ୍ରୀନ୍ ଚିଲିଜ୍’ର ପ୍ରତିଷ୍ଠାତା ଶ୍ରୀ ଏମ୍. କେଶବ ରାଓ ଏବଂ ନିର୍ଦ୍ଦେଶକ ଦ୍ୱୟ ଶ୍ରୀ ଏମ୍. ଜୟପ୍ରସାଦ ରାଓ ଓ ଶ୍ରୀ ଏମ୍. ତେଜେଶ୍ୱର ରାଓଙ୍କୁ ନିଜ ହାତରେ ଏହି ସମ୍ମାନଜନକ ଆୱାର୍ଡ ପ୍ରଦାନ କରିଥିଲେ।
ଏହି ସ୍ୱତନ୍ତ୍ର ମୁହୂର୍ତ୍ତରେ ‘ଗ୍ରୀନ୍ ଚିଲିଜ୍’ ଟିମ୍ ପକ୍ଷରୁ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରତୀକ ସ୍ୱରୂପ ପାରମ୍ପରିକ ଉତ୍ତରୀୟ ପିନ୍ଧାଇ ଶ୍ରୀ ଦେବଗନ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଏକ ଆକର୍ଷଣୀୟ ସ୍ୱର୍ଣ୍ଣ-ଆଚ୍ଛାଦିତ ପ୍ରତିମା ତାଙ୍କୁ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା। ଓଡ଼ିଶାର ଏହି ଭାବପୂର୍ଣ୍ଣ ଉପହାର ପାଇ ଅଜୟ ଦେବଗନ୍ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଏବଂ ଓଡ଼ିଶା ପ୍ରତି ନିଜର ଶ୍ରଦ୍ଧା ବ୍ୟକ୍ତ କରି ଖୁବ୍ଶୀଘ୍ର ରାଜ୍ୟକୁ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ବੋଲି ପ୍ରତିଶ୍ରୁତି ଦେଇଥିଲେ।
ଏହି ଜାତୀୟ ସଫଳତା ପରିପ୍ରେକ୍ଷୀରେ ପ୍ରତିଷ୍ଠାତା ଶ୍ରୀ ଏମ୍. କେଶବ ରାଓ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅପାର କରୁଣା ଏବଂ ଓଡ଼ିଶାବାସୀଙ୍କ ଅକୁଣ୍ଠ ଭଲପାଇବା ଯୋଗୁଁ ଆଜି ଆମକୁ ଏହି ଗୌରବ ମିଳିପାରିଛି। ଜାତୀୟ ମଞ୍ଚରେ ଇଣ୍ଟରନାସନାଲ ଗ୍ଲୋରୀ ଆୱାର୍ଡ-୨୦୨୬ ହାସଲ କରିବା ସାଙ୍ଗେ ସାଙ୍ଗେ ଆମ ରାଜ୍ୟର ସଂସ୍କୃତି ଏବଂ ମହାପ୍ରଭୁଙ୍କ ପ୍ରତିମା ଦେଖି ଅଜୟ ଦେବଗନ୍ ଜୀ ବହୁତ ଖୁସି ହେବା ଆମ ପାଇଁ ଅତ୍ୟନ୍ତ ଗର୍ବର ବିଷୟ।”