ପାକିସ୍ତାନ: ପାକିସ୍ତାନର ବାଲୁଚିସ୍ତାନରେ ପୁଣି ରକ୍ତାକ୍ତ ସଂଘର୍ଷ । ବାଲୁଚିସ୍ତାନରେ ୨୫ ଜଣ ପାକିସ୍ତାନୀ ସେନାଙ୍କର ମୃତ୍ୟୁ ହୋଇଥିବା ଦାବି ହୋଇଛି । ଗୋଟିଏ ପଟେ ବାଲୁଚିସ୍ତାନ ଲିବରେସନ୍ ଆର୍ମି ବା BLA ପାକିସ୍ତାନୀ ସେନା ଉପରେ ବଡ଼ ଆକ୍ରମଣ କରିଥିବା ଦାବି କରୁଛି ।
ଅନ୍ୟପଟେ ପାକିସ୍ତାନୀ ସେନା ମଧ୍ୟ ପ୍ରତିଆକ୍ରମଣ କରି ବହୁ ସଂଖ୍ୟକ ବିଦ୍ରୋହୀଙ୍କୁ ନିହତ କରିଥିବା କହୁଛି । ବେଲୁଚିସ୍ତାନ ଲିବରେସନ ଆର୍ମି (BLA) ପକ୍ଷରୁ ବେଲୁଚିସ୍ତାନରେ ଦୁଇଟି ପୃଥକ ଆକ୍ରମଣ କରାଯାଇ ୨୫ ଜଣ ପାକିସ୍ତାନୀ ସେନାଙ୍କୁ ହତ୍ୟା କରାଯାଇଥିବା ଦାବି କରାଯାଇଛି । ଏହି ଆକ୍ରମଣ ପରେ, BLA ର ସରକାରୀ ଗଣମାଧ୍ୟମ ଚ୍ୟାନେଲ ଦ୍ୱାରା ଏକ ସିନେମାଟିକ୍ ଶୈଳୀର ଟ୍ରେଲର୍ ଭିଡିଓ ଜାରି କରାଯାଇଛି ।
ଏଥିସହ ଭିଡିଓରେ ଜଳୁଥିବା ସେନା ଗାଡ଼ି, ସେନା କର୍ମଚାରୀଙ୍କ ମୃତଦେହ ଏବଂ ଘଟଣାସ୍ଥଳରୁ ଜବତ କରାଯାଇଥିବା ଆଧୁନିକ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ କରାଯାଇଛି । BLA ବିଦ୍ରୋହୀମାନେ ଏକ ସେନା କନଭୟ ଉପରକୁ ଆକ୍ରମଣ କରି ଗୋଟିଏ ମିଲିଟାରୀ ଟ୍ରକ୍ ସହିତ ଦୁଇଟି ଗାଡ଼ିକୁ ଧ୍ୱଂସ କରିଦେଇଥିଲେ । ପ୍ରଥମେ ଗ୍ରୁପ୍ ପକ୍ଷରୁ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିବା ବେଳେ ପରେ ଏହି ସଂଖ୍ୟା ୨୫କୁ ବୃଦ୍ଧି ପାଇଥିଲା । ସୁରାବର ହାଜିକା ଅଞ୍ଚଳରେ ଏକ ରିମୋଟ୍-କଣ୍ଟ୍ରୋଲ୍ ବିସ୍ଫୋରଣ ମାଧ୍ୟମରେ ଅନ୍ୟ ଏକ ସେନା ଗାଡ଼ିକୁ ଟାର୍ଗେଟ୍ କରାଯାଇଥିଲା । ଯାହା ପାକିସ୍ତାନୀ ସେନାର କ୍ଷୟକ୍ଷତିକୁ ଆହୁରି ବଢ଼ାଇ ଦେଇଥିଲା ।