CBI ଜାଲରେ ସୁଭାଷ ଚନ୍ଦ୍ରା ! ଠକେଇ ଅଭିଯୋଗରେ ମାମଲା ରୁଜୁ
ଜି ଗ୍ରୁପ୍ର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରାଙ୍କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି । CBI ଏସେଲ ଗ୍ରୁପର ପ୍ରତିଷ୍ଠାତା ସୁଭାଷ ଚନ୍ଦ୍ରଙ୍କ ସମେତ ଅନ୍ୟ ୪ଜଣଙ୍କ ବିରୋଧରେ ଠକେଇ ମାମଲା ରୁଜୁ କରିଛି । ଏହି ମାମଲାରେ ୧,୩୨୨ କୋଟିରୁ ଅଧିକ ଟଙ୍କାର ଋଣ ଠକେଇ ମାମଲାର ଅଭିଯୋଗ ଆଧାରରେ CBI ସୁଭାଷ ଚନ୍ଦ୍ରାଙ୍କ ବ୍ୟତୀତ ପଙ୍କଜ ସୁରୋଲିଆ, ଅମିଶ ପାଣ୍ଡ୍ୟା ଏବଂ ରାଜୀବ ଢୋଲକିଆଙ୍କ ନାମ ମଧ୍ୟ FIRରେ ରହିଛି । ଏହି ମାମଲାରେ ଠକେଇ, ବିଶ୍ୱାସଭଙ୍ଗ ଏବଂ ଅପରାଧିକ ଷଡ଼ଯନ୍ତ୍ର ଭଳି ଅଭିଯୋଗ ରହିଥିବା ଜଣାପଡ଼ିଛି । ଏହି ମାମଲା LIC Housing Finance Limitedର ଅଭିଯୋଗ ଆଧାରରେ ରୁଜୁ ହୋଇଥିବା କୁହାଯାଇଛି ।
ସୂଚନାନୁଯାୟୀ, ୨୦୧୮ରେ ସୁଭାଷ ଚନ୍ଦ୍ରା ନିଜ କମ୍ପାନୀଗୁଡ଼ିକ ପାଇଁ ଋଣ ନେବା ସମୟରେ ଏକ ନେଟ୍ୱର୍ଥ ସାର୍ଟିଫିକେଟ୍ ଦାଖଲ କରିଥିଲେ । ସେଥିରେ ତାଙ୍କ ବ୍ୟକ୍ତିଗତ ନେଟ୍ୱର୍ଥ ପ୍ରାୟ ₹୫୯,୧୧୩ କୋଟି ଦର୍ଶାଯାଇଥିବା ଅଭିଯୋଗ ହୋଇଛି । ଏହି ନେଟ୍ୱର୍ଥକୁ ଆଧାର କରି LIC Housing Finance ତାଙ୍କ ସହ ଜଡ଼ିତ କମ୍ପାନୀଗୁଡ଼ିକୁ ₹୧,୩୨୨ କୋଟିରୁ ଅଧିକ ଋଣ ଦେଇଥିବା ଅଭିଯୋଗ ରହିଛି । କିନ୍ତୁ ପରବର୍ତ୍ତୀ ସମୟରେ କମ୍ପାନୀଗୁଡ଼ିକ ଋଣ ପରିଶୋଧ କରିବାରେ ବିଫଳ ହୋଇଥିଲେ । ଏହାପରେ ସୁଭାଷ ଚନ୍ଦ୍ରାଙ୍କ ବିରୋଧରେ ଦେବାଳିଆ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଥିଲା । ସେ ୨୨,୦୦୦ କୋଟିର ଦେନା ବଦଳରେ ମାତ୍ର ୬.୫ କୋଟି ଦେଇ ମାମଲା ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ । NCLT (ନ୍ୟାସନାଲ୍ କମ୍ପାନୀ ଲ’ ଟ୍ରିବ୍ୟୁନାଲ୍)ର ସିଙ୍ଗଲ୍ ବେଞ୍ଚ ଏହି ପ୍ରସ୍ତାବକୁ ମଞ୍ଜୁର କରିଥିଲା। ଏହି ନିଷ୍ପତ୍ତିକୁ ନେଇ ବ୍ୟାପକ ବିବାଦ ହେବା ପରେ NCLT ମାମଲାର ଶୁଣାଣି ପାଇଁ ୫ ଜଣିଆ ବୃହତ୍ ବେଞ୍ଚ ଗଠନ କରିଥିଲା। ଚନ୍ଦ୍ରା ଏହି ନିଷ୍ପତ୍ତିକୁ ବିରୋଧ କରିଥିଲେ।
NCLT ହେଉଛି ଦେଶର ଏକ ବିଶେଷ ନ୍ୟାୟିକ ସଂସ୍ଥା, ଯାହା କମ୍ପାନୀ ଏବଂ ବ୍ୟବସାୟ ସହ ଜଡ଼ିତ ବିବାଦର ସମାଧାନ କରେ । କୌଣସି କମ୍ପାନୀ କିମ୍ବା ବ୍ୟବସାୟୀ ନିଜର ଋଣ ପରିଶୋଧ କରିପାରିନଥିଲେ କିମ୍ବା ଦେବାଳିଆ ହେବାକୁ ଯାଉଥିଲେ, ବ୍ୟାଙ୍କ ଓ ଋଣଦାତାମାନେ ଋଣ ଆଦାୟ କିମ୍ବା କମ୍ପାନୀକୁ ପୁଣି ଠିକ୍ ଭାବେ ଚଳାଇବା ପାଇଁ ସାଧାରଣତଃ NCLTର ଦ୍ୱାରସ୍ଥ ହୁଅନ୍ତି ।