ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ । ଅଫିସ୍ ଗାଡ଼ିରେ ୩ ଲକ୍ଷ ୧୫ ହଜାର ଟଙ୍କା ନେଇ ଯାଉଥିବା ବେଳେ କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନ୍ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁଙ୍କୁ ଓଡ଼ିଶା ଭିଜିଲାନ୍ସ ଅଟକାଇଛି । ଜବତ ଟଙ୍କା ଅବୈଧ ଉପାୟରେ ଅର୍ଜିତ ହୋଇଥିବା ଭିଜିଲାନ୍ସ ସନ୍ଦେହ କରୁଛି । ଟଙ୍କାର ଉତ୍ସ ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିଲେନି ଯନ୍ତ୍ରୀ । ଘର ଓ କାର୍ଯ୍ୟାଳୟରେ ଚଢ଼ଉ ଜାରି ରହିଛି । ତେବେ ତଦନ୍ତ ଶେଷ ହେବା ପରେ ଟଙ୍କାର ପ୍ରକୃତ ଉତ୍ସ ସ୍ପଷ୍ଟ ହେବ।
ଠିକାଦାରମାନର ବକେୟା ବିଲ୍ କରାଇ ଦେବା ନାଁରେ ଲାଞ୍ଚ ଟଙ୍କା ସଂଗ୍ରହ କରାଯାଉଥିବା ନେଇ ଭିଜିଲାନ୍ସକୁ ବିଶ୍ୱସନୀୟ ସୂଚନା ମିଳିଥିଲା । ଏହାକୁ ଆଧାର କରି ଭିଜିଲାନ୍ସ ଟିମ୍ ମାର୍ଶାଘାଇ ଛକ ନିକଟ NH-53Aରେ ଅନୁପମାଙ୍କୁ ଅଟକାଇଥିଲା । ସେ ନିଜ କାର୍ଯ୍ୟାଳୟରୁ ନୟନବିହାରସ୍ଥିତ ବାସଭବନକୁ ଅଫିସ୍ ଗାଡ଼ିରେ ଯାଉଥିଲେ । ତଲାସୀ ବେଳେ ତାଙ୍କ ନିକଟରୁ ୩ ଲକ୍ଷ ୧୫ ହଜାର ଟଙ୍କା ମିଳିଥିଲା ।
ଏତେ ପରିମାଣର ନଗଦ ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଟଙ୍କା ସହ ଅଫିସ୍ ଗାଡ଼ିକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି । ଏହାପରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ ଦିଗରୁ ଅନୁପମାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ଜବତ ନଗଦ ଟଙ୍କାର ଉତ୍ସ ଜାଣିବା ପାଇଁ ତାଙ୍କୁ ପଚରାଉଚରା କରାଯାଉଛି । ଚଢ଼ାଉ ଓ ତଦନ୍ତ ଜାରି ରହିଥିବା ବେଳେ ଏହି ମାମଲାରେ ଆଗକୁ ଅଧିକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।