ନୂଆଦିଲ୍ଲୀ : UCCକୁ ନେଇ ଅମିତ ଶାହଙ୍କ ବଡ଼ ବୟାନ। ୨୦୨୯ ସୁଦ୍ଧା ୨୧ NDA ରାଜ୍ୟରେ UCC। ୨୦୨୯ ପୂର୍ବରୁ ୨୧ NDA ଶାସିତ ରାଜ୍ୟରେ ଲାଗୁ ହେବ UCC। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ସବୁ NDA ଶାସିତ ରାଜ୍ୟରେ ସମାନ ନାଗରିକ ସଂହିତା ଲାଗୁ କରିବା ଲକ୍ଷ୍ୟ। ୨୦୨୯ ପୂର୍ବରୁ ଦେଶର ସମସ୍ତ ୨୧ଟି NDA ଶାସିତ ରାଜ୍ୟରେ ଲାଗୁ ହେବ ସମାନ ନାଗରିକ ସଂହିତା ବା Uniform Civil Code (UCC)।
ଏନେଇ ଦୃଢ଼ ବିଶ୍ୱାସ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଶାହ କହିଛନ୍ତି, କିଛି ରାଜ୍ୟ ଏହି ଦିଗରେ ଆଗକୁ ବଢ଼ିସାରିଛନ୍ତି। ଅନ୍ୟ NDA ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ପର୍ଯ୍ୟାୟକ୍ରମେ UCC ଲାଗୁ କରିବେ। ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଏହି ପ୍ରକ୍ରିୟା ଶେଷ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସରଳ ଭାଷାରେ କହିଲେ, UCCର ଅର୍ଥ ହେଉଛି ବିବାହ, ବିବାହ ବିଚ୍ଛେଦ, ଉତ୍ତରାଧିକାର, ସମ୍ପତ୍ତିର ଉତ୍ତରାଧିକାର ଓ ଭରଣପୋଷଣ ଭଳି ବ୍ୟକ୍ତିଗତ ଆଇନ କ୍ଷେତ୍ରରେ ସମସ୍ତ ନାଗରିକଙ୍କ ପାଇଁ ଏକ ସମାନ ଆଇନ ବ୍ୟବସ୍ଥା। ଭାରତୀୟ ସମ୍ବିଧାନର ଧାରା ୪୪ରେ ସମାନ ନାଗରିକ ସଂହିତା କଥା ଉଲ୍ଲେଖ ରହିଛି। ଏହା ରାଷ୍ଟ୍ର ପାଇଁ ଥିବା ନୀତି ନିର୍ଦ୍ଦେଶକ ତତ୍ତ୍ୱର ଏକ ଅଂଶ। ସ୍ୱାଧୀନତା ପରେ UCC କାର୍ଯ୍ୟକାରୀ କରିବାରେ ଉତ୍ତରାଖଣ୍ଡ ପ୍ରଥମ ରାଜ୍ୟ ହୋଇଥିଲା।
ଏହାପରେ ଅନ୍ୟ କିଛି NDA ଶାସିତ ରାଜ୍ୟ ମଧ୍ୟ UCC ଦିଗରେ ପଦକ୍ଷେପ ନେଇଛନ୍ତି। ଅମିତ ଶାହଙ୍କ ନୂଆ ବୟାନରୁ ସ୍ପଷ୍ଟ ହୋଇଛି ଯେ, BJP ନେତୃତ୍ୱାଧୀନ NDA ଏବେ ୨୦୨୯ ପୂର୍ବରୁ ଏହାକୁ ସମସ୍ତ ୨୧ଟି NDA ଶାସିତ ରାଜ୍ୟକୁ ବ୍ୟାପକ କରିବାକୁ ଚାହୁଁଛି। UCCକୁ ନେଇ ଦେଶରେ ଦୀର୍ଘଦିନ ଧରି ରାଜନୈତିକ ଓ ସାମାଜିକ ବିତର୍କ ରହିଛି।
BJPର ଯୁକ୍ତି ହେଉଛି, UCC ଲାଗୁ ହେଲେ ବ୍ୟକ୍ତିଗତ ଆଇନ କ୍ଷେତ୍ରରେ ସମାନତା ଆସିବ ଏବଂ ସମସ୍ତଙ୍କ ପାଇଁ ଏକ ସମାନ ଆଇନ ବ୍ୟବସ୍ଥା ରହିବ। ଅନ୍ୟପଟେ ବିରୋଧୀ ଦଳ ଓ ସମାଲୋଚକମାନେ ଧାର୍ମିକ ବ୍ୟକ୍ତିଗତ ଆଇନ, ଆଦିବାସୀ ପରମ୍ପରା ଓ ଦେଶର ସାଂସ୍କୃତିକ ବିବିଧତା ଉପରେ ଏହାର ପ୍ରଭାବକୁ ନେଇ ପ୍ରଶ୍ନ ଉଠାଇଆସୁଛନ୍ତି।