ମୋଦି-ପୁଟିନ ବୈଠକ ଆରମ୍ଭ; ପ୍ରତିରକ୍ଷା ଉପରେ ଫୋକସ୍
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ମଣ୍ଡପମରେ ପହଞ୍ଚିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଆରମ୍ଭ ହୋଇଛି। ବୈଠକରେ ପ୍ରତିରକ୍ଷା ସହଯୋଗ ସମେତ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା ହେବାର ଆଶା ରହିଛି।ବିଶେଷକରି ଭାରତରେ ରୁଷର Su-57 ଲଢ଼ୁଆ ବିମାନ ଉତ୍ପାଦନ ଏବଂ ଏଥିପାଇଁ ଆବଶ୍ୟକ ପ୍ରଯୁକ୍ତି ଅଂଶୀଦାର କରିବା ନେଇ ରୁଷର ପ୍ରସ୍ତାବ ଉପରେ ଚର୍ଚ୍ଚା ହୋଇପାରେ। ଏହାକୁ ରୁଷର ଏକ ଉନ୍ନତ ପଞ୍ଚମ ପିଢ଼ିର ଷ୍ଟେଲ୍ଥ୍ ଫାଇଟର୍ ଭାବେ ଦେଖାଯାଏ। ଭାରତରେ ଏହାର ଉତ୍ପାଦନ ନେଇ ସହମତି ହେଲେ ଦୁଇ ଦେଶର ପ୍ରତିରକ୍ଷା ଶିଳ୍ପ ସହଯୋଗ ଆହୁରି ଗଭୀର ହୋଇପାରେ।ବୈଠକରେ ଅବଶିଷ୍ଟ S-400 ମିସାଇଲ୍ ପ୍ରତିରକ୍ଷା ପ୍ରଣାଳୀର କନସାଇନମେଣ୍ଟ, ଉନ୍ନତ ବ୍ରହ୍ମୋସ-ଏନଜି ଭଳି ପ୍ରତିରକ୍ଷା ପ୍ରକଳ୍ପ ଏବଂ ଭବିଷ୍ୟତରେ ପ୍ରତିରକ୍ଷା ଉତ୍ପାଦନରେ ଅଧିକ ସହଯୋଗ ନେଇ ଆଲୋଚନା ହୋଇପାରେ।
ପ୍ରତିରକ୍ଷା ବ୍ୟତୀତ ବାଣିଜ୍ୟ ଓ ଅର୍ଥନୈତିକ ସହଯୋଗ ମଧ୍ୟ ଆଲୋଚନାର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହେବ। ୨୦୩୦ ସୁଦ୍ଧା ଦୁଇ ଦେଶ ମଧ୍ୟରେ ୧୦୦ ବିଲିୟନ ଡଲାରର ବାଣିଜ୍ୟ ଲକ୍ଷ୍ୟ ହାସଲ କରିବା ନେଇ ଉଭୟ ପକ୍ଷ ଆଲୋଚନା କରିପାରନ୍ତି।ସେହିପରି ଶିଳ୍ପ, ରେଳବାଇ, ଇସ୍ପାତ ଓ ଟନେଲିଂ କ୍ଷେତ୍ରରେ ସହଯୋଗ ବୃଦ୍ଧି, ରୁଷ ବଜାରରେ ଭାରତୀୟ କମ୍ପାନୀଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ଏବଂ ପରମାଣୁ ଶକ୍ତି, ଗୁରୁତ୍ୱପୂର୍ଣ୍ଣ ଖଣିଜ, କୁଶଳୀ ଶ୍ରମିକ ଓ ସାର କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ମଧ୍ୟ ଚର୍ଚ୍ଚା ହୋଇପାରେ।