ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ; ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା

0

ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ୨୩ରୁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟରେ ପୁଣି ସକ୍ରିୟ ହେବାକୁ ଯାଉଛି ମୌସୁମୀ ବାୟୁ । ବଙ୍ଗୋପସାଗରରେ ଆଗାମୀ ୧୯ ତାରିଖ ବେଳକୁ ଆଉ ଏକ ନୂତନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ବେଳକୁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହା ବାତ୍ୟାର ରୂପ ନେବ କି ନାହିଁ, ସେ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଆକଳନ କରାଯାଇ ନଥିବା ସ୍ପଷ୍ଟ କରିଛନ୍ତି IMD ଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର । ଉତ୍ତର-ଆଣ୍ଡାମାନ ସାଗର ଏବଂ ଏହାର ନିକଟବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ୧୯ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର କେନ୍ଦ୍ରୀଭୂତ ହେବ । ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏହି ସିଷ୍ଟମ୍ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି କ୍ରମଶଃ ଅଧିକ ଘନୀଭୂତ ହେବ। ​୨୩ ତାରିଖ ସୁଦ୍ଧା ଏହା ପଶ୍ଚିମ-କେନ୍ଦ୍ରୀୟ ଏବଂ ନିକଟସ୍ଥ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚି ଦକ୍ଷିଣ ଓଡ଼ିଶା ତଥା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ପାଖାପାଖି ରହିବ ।

ଆଇଏମଡି କହିଛି ସିଷ୍ଟମ୍ ଟି ବାତ୍ୟାରେ ପରିଣତ ହେବ କି ନାହିଁ, ତାହା ବର୍ତ୍ତମାନ ସୁଦ୍ଧା ଆକଳନ ହୋଇନାହିଁ ।  ଲଘୁଚାପଟି ସାଧାରଣ ଲଘୁଚାପ ରହିବ, ନା ଅବପାତ କିମ୍ବା ଡିପ୍-ଡିପ୍ରେସନର ରୂପ ନେବ, ତାହା କେବଳ ୧୯ ତାରିଖରେ ସିଷ୍ଟମ ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ । ​ ସାମୁଦ୍ରିକ ପରିବେଶ, ବାୟୁମଣ୍ଡଳୀୟ ଚାପ ଏବଂ ତାପମାତ୍ରା ଉପରେ ନଜର ରଖାଯାଇଛି, ତେଣୁ ଗୁଜବରେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ଆଇଏମଡି ଡିଜି ।  ​୨୨ ତାରିଖରୁ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପାଗ ମେଘୁଆ ରହିବା ସହ ବର୍ଷାର ପ୍ରକୋପ ଆରମ୍ଭ ହେବ । ​୨୩ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକ ସମେତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.