ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ, ଅକ୍ଟୋବର ୨ରୁ ବୁକିଂ ଆରମ୍ଭ କରିଛି ଇଣ୍ଡିଗୋ

0

ଭୁବନେଶ୍ବର: ଅକ୍ଟୋବରରୁ ଭୁବନେଶ୍ବରରେ ଆରମ୍ଭ ହେବ ଆନ୍ତର୍ଜାତିକ ବିମାନ ସେବା । ପୁଣି ଭୁବନେଶ୍ବରରୁ ବ୍ୟାଙ୍କକକୁ ଉଡ଼ିବ ବିମାନ । ବନ୍ଦ ଥିବା ଆନ୍ତର୍ଜାତିକ ବିମାନ ଚଳାଚଳ ସେବା ପୁଣି କାର୍ଯ୍ୟକ୍ଷମ ହେବ । ଅକ୍ଟୋବର ୨ତାରିଖରୁ ବ୍ୟାଙ୍କକ ପାଇଁ ବୁକିଂ ଆରମ୍ଭ କରିଛି ଇଣ୍ଡିଗୋ । ଆଗକୁ ଆନ୍ତର୍ଜାତିକ ବିମାନ ସେବା ବାଧାପ୍ରାପ୍ତ ନ ହେବା ପାଇଁ ହବ୍ ଆଣ୍ଡ ସ୍ପୋକ ସର୍ଭିସ୍ ଯୋଗାଇବାକୁ ଲକ୍ଷ ରଖିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ । ଫଳରେ ଆଗକୁ ଏକାଧିକ ଡେଷ୍ଟିନେସନ କୁ ଆନ୍ତର୍ଜାତିକ ବିମାନ ଉଡାଣ ସେବା ଉପଲବ୍ଧ ହେବ । ପୁର୍ବରୁ ବ୍ୟାଙ୍କକ , ସିଙ୍ଗାପୁର ଓ ଆବୁଧାବିକୁ ସପ୍ତାହକୁ ଦୁଇ ଥର ଲେଖାଏ ବିମାନ ଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରୀ ଅଭାବ ଓ ବିମାନ ଇନ୍ଧନ ବୃଦ୍ଧି ଯୋଗୁଁ କିଛି ବିମାନ ଚଳାଚଳ ସଂସ୍ଥା ମଧ୍ୟ ବିମାନ ଉଡାଣ ବାତିଲ କରିଥିଲେ । ଫଳରେ ଓଡ଼ିଶାକୁ ଆସୁଥିବା ଯାତ୍ରୀ ଅନ୍ୟ ଏୟାରପୋର୍ଟ ଉପରେ ନିର୍ଭର କରୁଥିଲେ ।

ତେବେ ହବ ଆଣ୍ଡ ସ୍ପୋକ ସର୍ଭିସ୍ ହେଲେ ଭାୟା ଅନ୍ୟ ସହର ଦେଇ ବିମାନ ଆସିବ ଓ ଯିବ । କିନ୍ତୁ ଯାତ୍ରୀଙ୍କୁ ଆଉ ଲଗେଜ ଓ ବୋର୍ଡିଂର ସମସ୍ୟା ରହିବନି । ଫଳରେ ଅଧିକ ଡେଷ୍ଟିନେସନକୁ ମଧ୍ୟ ସୁବିଧା ଉପଲବ୍ଧ ହେବ ବୋଲି କହିଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦେଶକ । ଭୁବନେଶ୍ୱର ବିମାନ ବନ୍ଦର ଦେଇ ବର୍ଷକୁ ୫.୧ମିଲିୟନ ଯାତ୍ରୀ ଯାତାୟତ କରୁଛନ୍ତି । ୧୩ତମ ଗହଳିପୂର୍ଣ୍ଣ ବିମାନ ବନ୍ଦର ଭାବରେ ଭୁବନେଶ୍ୱର ବିମାନ ବନ୍ଦର ପରିଗଣିତ ହେଉଛି । ତେଣୁ ଆଗକୁ ଯାତ୍ରୀଙ୍କ ସେବାକୁ ଅଧିକ ଆକର୍ଷିତ କରିବା ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ ଯାତ୍ରୀ ସେବା ୨୦୨୬ କାର୍ଯ୍ୟକ୍ରମ ମାସେ ବ୍ୟାପି ଚାଲିବ । ଦିବ୍ୟାଙ୍ଗ ଯାତ୍ରୀ ଓ ବରିଷ୍ଠ ନାଗରିକ ଯାତ୍ରୀଙ୍କୁ ସ୍ବତନ୍ତ୍ର ସେବା ସହ ସଂସ୍କୃତି ଓ ଲୋକକଳା ପ୍ରଚାର ପ୍ରସାର ପାଇଁ ସ୍ବତନ୍ତ୍ର କାର୍ଯକ୍ରମ ଭଳି ସ୍ବଚ୍ଛତା ଓ ସୁରକ୍ଷା ଓ ପାର୍କିଂ ଭଳି ବିଭିନ ଦିଗକୁ ଗୁରୁତ୍ୱ ଦିଆଯିବ ।

Leave A Reply

Your email address will not be published.