ମସ୍କୋର ପ୍ରମୁଖ ତୈଳ ବିଶୋଧନାଗାରରେ ୟୁକ୍ରେନର ଆକ୍ରମଣ, ବଡ଼ ଧରଣର କ୍ଷତି ହୋଇଥିବା ସୂଚନା

0

ନୂଆଦିଲ୍ଲୀ : ମସ୍କୋର ପ୍ରମୁଖ ତୈଳ ବିଶୋଧନାଗାରରେ ୟୁକ୍ରେନର ଆକ୍ରମଣ । ରୁଷର ରାଜଧାନୀ ମସ୍କୋ ଓ ଏହାର ଆଖପାଖ ଅଞ୍ଚଳରେ ୟୁକ୍ରେନ ବଡ଼ଧରଣର ଦୂରଗାମୀ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । ଏଥିରେ ମସ୍କୋର ଏକ ପ୍ରମୁଖ ତୈଳ ବିଶୋଧନାଗାର ଏବଂ ରୁଷର ଏକ ଲଜିଷ୍ଟିକ୍ସ କେନ୍ଦ୍ର କ୍ଷତିଗ୍ରସ୍ତ ହୋଇଥିବା ୟୁକ୍ରେନ ଦାବି କରିଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି, ମସ୍କୋ ଅଞ୍ଚଳରେ ୟୁକ୍ରେନର ଦୂରଗାମୀ ଆକ୍ରମଣର ବଡ଼ ପ୍ରଭାବ ପଡ଼ିଛି।

ରୁଷର ତୈଳ ଶିଳ୍ପ ସହ ଜଡ଼ିତ ଏକ ପ୍ରମୁଖ କେନ୍ଦ୍ର ଏବଂ ଯୁଦ୍ଧ ସାମଗ୍ରୀ ପରିବହନରେ ବ୍ୟବହୃତ ଏକ ଲଜିଷ୍ଟିକ୍ସ କେନ୍ଦ୍ରକୁ ଟାର୍ଗେଟ୍ କରାଯାଇଛି । ଏଭଳି କେନ୍ଦ୍ରରୁ ମିଳୁଥିବା କୋଟି କୋଟି ଡଲାର ରୁଷର ଯୁଦ୍ଧ ବ୍ୟବସ୍ଥାକୁ ଚଳାଇବାରେ ସହାୟକ ହେଉଥିବା ରାଷ୍ଟ୍ରପତି କହିଛନ୍ତି । ୟୁକ୍ରେନ ସେନାର ଜେନେରାଲ୍ ଷ୍ଟାଫ୍ ଅନୁସାରେ, ଆକ୍ରମଣର ପ୍ରମୁଖ ଲକ୍ଷ୍ୟ ଥିଲା କାପୋତନ୍ୟାସ୍ଥିତ ଗାଜପ୍ରମ୍ ନେଫ୍ଟ ମସ୍କୋ ଅଏଲ୍ ରିଫାଇନାରୀ । ଏହା କ୍ରେମଲିନ୍ ଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ରହିଛି ।

ଆକ୍ରମଣରେ ଅଶୋଧିତ ତୈଳ ପ୍ରକ୍ରିୟାକରଣ ୟୁନିଟ୍ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ୟୁନିଟ୍ କ୍ଷତିଗ୍ରସ୍ତ ହୋଇଥିବା ଏବଂ ବଡ଼ ଧରଣର ନିଆଁ ଲାଗିଥିବା ୟୁକ୍ରେନ ଦାବି କରିଛି । କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଚିତ୍ର ସ୍ୱାଧୀନ ଭାବେ ସ୍ପଷ୍ଟ ହୋଇନାହିଁ । ଏହି ତୈଳ ବିଶୋଧନାଗାରରେ ବର୍ଷକୁ ୧ କୋଟି ୧୬ ଲକ୍ଷ ଟନ୍ ରୁ ଅଧିକ ଅଶୋଧିତ ତୈଳ ପ୍ରକ୍ରିୟାକରଣ କରାଯାଏ । ମସ୍କୋ ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳର ଇନ୍ଧନ ଆବଶ୍ୟକତା ପୂରଣରେ ଏହି କେନ୍ଦ୍ରର ବଡ଼ ଭୂମିକା ରହିଛି ।

ଅନ୍ୟପଟେ ରୁଷ କର୍ତ୍ତୃପକ୍ଷ ଏହାକୁ ଅଭୂତପୂର୍ବ ଡ୍ରୋନ୍ ଆକ୍ରମଣ ବୋଲି କହିଛନ୍ତି । ରୁଷ ପକ୍ଷର ଦାବି ଅନୁସାରେ, ଦେଶର ବିଭିନ୍ନ ସ୍ଥାନକୁ ଟାର୍ଗେଟ୍ କରି ଆସୁଥିବା ବହୁ ସଂଖ୍ୟକ ଡ୍ରୋନକୁ ପ୍ରତିହତ କରାଯାଇଛି । ସେଥିମଧ୍ୟରୁ ପ୍ରାୟ ୪୫୦ଟି ଡ୍ରୋନ୍ ମସ୍କୋ ଅଭିମୁଖେ ଆସୁଥିଲା । ଆକ୍ରମଣ ଓ ଡ୍ରୋନର ଧ୍ୱଂସାବଶେଷ ପଡ଼ିବା ଯୋଗୁଁ ଦୁଇଜଣଙ୍କ ମୃତ୍ୟୁ, ପ୍ରାୟ ୨୦ ଜଣ ଆହତ ଏବଂ କେତେକ ଆବାସିକ କୋଠା କ୍ଷତିଗ୍ରସ୍ତ ହୋଇଥିବା ରୁଷ କହିଛି ।

ଜେଲେନସ୍କି କହିଛନ୍ତି, ମସ୍କୋ ଚାରିପଟେ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବଢ଼ାଇବା ପରିବର୍ତ୍ତେ ରୁଷ ଯୁଦ୍ଧ ବନ୍ଦ କରିବା ଉଚିତ । ଏହି ଆକ୍ରମଣରେ ୟୁକ୍ରେନ ନିର୍ମିତ ବିଭିନ୍ନ ଡ୍ରୋନ୍ ଓ ଦୂରଗାମୀ ଅସ୍ତ୍ର ବ୍ୟବହାର କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.