TMC ପାର୍ଟି ନାମ ଓ ନିର୍ବାଚନ ଚିହ୍ନ ଜବତ ମାମଲା, ମମତାଙ୍କ ଆବେଦନ ଉପରେ ତତ୍କାଳ ଶୁଣାଣି ପାଇଁ ରାଜି ହେଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସେହି ଆବେଦନ ଉପରେ ତତ୍କାଳ ଶୁଣାଣି ନିମନ୍ତେ ରାଜି ହୋଇଛନ୍ତି ଯେଉଁଥିରେ ତୃଣ ମୂଳ କଂଗ୍ରେସର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁ ନିର୍ବାଚନ ଆୟୋଗ ଦ୍ୱାରା ଦଳର ନାମ ଓ ନିର୍ବାଚନ ଚିହ୍ନ ଫ୍ରିଜ ଲାଗି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ବରିଷ୍ଠ ଓକିଲ କପିଲ ଶିବଲ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଓ ଜଷ୍ଟିସ୍ ଭି.ମୋହନାଙ୍କ ପୀଠରେ ତତ୍କାଳ ଶୁଣାଣି ଦାବି କରି ଏହି ମାମଲା ଉଲ୍ଲେଖ କରିଛନ୍ତି।

ଶିବଲ କହିଛନ୍ତି ଯେ ନିର୍ବାଚନ ଆୟୋଗ ଏକ ଅଧିସୂଚନା ଜାରି କରନ୍ତି ଓ ଏହା ମଧ୍ୟରେ ନିର୍ବାଚନ ସଂକେତକୁ ଫ୍ରିଜ କରିଦିଅନ୍ତି। ଏ ସବୁ କଣ ହେଉଛି? ଆମକୁ ତତ୍କାଳ ଲିଷ୍ଟିଂ ଆବଶ୍ୟକ। ଏହା ପୂର୍ବରୁ ନିର୍ବାଚନ ଆୟୋଗ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀଙ୍କୁ ଅଲଗା ଅଲଗା ନାମ ଓ ନିର୍ବାଚନ ଚିହ୍ନ ଆବଣ୍ଟନ କରିଛନ୍ତି। ଏହାର ଦିନକ ପୂର୍ବରୁ ନିର୍ବାଚନ ଆୟୋଗ ଦୁଇ ଗୋଷ୍ଠୀଙ୍କୁ ‘ଅଖିଳ ଭାରତୀୟ ତୃଣ ମୂଳ କଂଗ୍ରେସ’ ନାମ ଉପଯୋଗ କରିବାକୁ ରୋକ ଲଗାଇଥିଲେ ଓ ବିବାଦର ସ୍ଥାୟୀ ସମାଧାନ ହେବା ପର୍ଯ୍ୟନ୍ତ ଦଳର ନିର୍ବାଚନ ଚିହ୍ନକୁ ସଂରକ୍ଷିତ ରଖିଛନ୍ତି।

ଗୁରୁବାର ରାତିରେ ଜାରି ଅନ୍ତରୀଣ ଆଦେଶରେ ନିର୍ବାଚନ ଆୟୋଗ ମମତା ବାନାର୍ଜୀ ଓ ଅରୂପ ରାୟଙ୍କ ନେତୃତ୍ୱରେ ଗଠିତ ଦୁଇ ଗୋଷ୍ଠୀଙ୍କ ତର୍କ ଶୁଣିବା ପରେ କହିଛନ୍ତି ଯେ ଏହି ମାମଲାରେ ନିର୍ବାଚନ ଚିହ୍ନ (ସଂରକ୍ଷଣ ଓ ଆବଣ୍ଟନ) ଆଦେଶ ୧୯୬୮ପ୍ରାବଧାନ ଅନୁସାରେ ନିର୍ବାଚନ ସଂସ୍ଥାଙ୍କ ଦୃଢ ନିଷ୍ପତ୍ତିର ଆବଶ୍ୟକତା ରହିଛି। ତେବେ ସର୍ବୋଚ୍ଚନ୍ୟାୟାଳୟରେ ରୁଜୁ ଆବେଦନରେ ମମତା ବାନାର୍ଜୀ ନିର୍ବାଚନ ଆୟୋଗ ଓ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କୁ ପାର୍ଟି ପ୍ରତିବାଦୀ କରିଛି।

ତେବେ ସେପ୍ଚେମ୍ବର ୧୮ ତାରିଖରେ ତୃଣମୂଳ କଂଗ୍ରେସ ନାମ ଓ ‘ଯୋଡାଫୁଲ ଘାସ’ ଚିହ୍ନକୁ ଫ୍ରିଜ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ମମତା ବାନାର୍ଜୀ ବିରୋଧ କରିଥିଲେ। ସେ ପାର୍ଟିର ପରିଚୟ ହରାଇବାର ତୁଳନା ଜଣେ ମା ତା ପିଲାକୁ ହରାଇବାର ଯନ୍ତ୍ରଣା ସହ କରିଥିଲେ ଓ ଦେଶର ଗଣତାନ୍ତ୍ରିକ ଇତିହାସରେ ଏହାକୁ ଏକ ‘କଳାଦିନ’ ବୋଲି କହିଥିଲେ। ମମତା ବାନାର୍ଜୀ କହିଥିଲେ ଯେ ସେ ଅନ୍ତରୀଣ ବ୍ୟବସ୍ଥାକୁ ‘ବୁଝାମଣା’ ଭାବେ ସ୍ୱୀକାର କରିବେ ନାହିଁ ଓ ପାର୍ଟିର ମୂଳ ନାମ, ନିର୍ବାଚନ ଚିହ୍ନକୁ ରାଜନୈତିକ, ଗଣତାନ୍ତ୍ରିକ ଓ ଆଇନତଃ ପୁନଃ ପ୍ରାପ୍ତ କରିବା ପାଇଁ ଶେଷ ପର୍ଯ୍ୟନ୍ତ ଲଢିବେ ବୋଲି ସଂକଳ୍ପ କରିଥିଲେ।

Leave A Reply

Your email address will not be published.