ମହାନଦୀ ଅବବାହିକାରେ ପ୍ରାକୃତିକ ଗ୍ୟାସର ଭଣ୍ଡାର, ସନ୍ଧାନ ପାଇଲା ONGC

0

କେନ୍ଦ୍ର ସରକାରଙ୍କ ‘ସମୁଦ୍ର ମନ୍ଥନ’ ଅଭିଯାନକୁ ବଡ଼ ସଫଳତା। ଯୋଜନା ଅଧୀନରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଓଏନଜିସି (ONGC)କୁ ମିଳିଛି ମହାନଦୀ ଅବବାହିକାରୁ ପ୍ରଚୁର ପରିମାଣର ପ୍ରାକୃତିକ ଗ୍ୟାସର ସନ୍ଧାନ। କମ୍ପାନୀ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। କୋଣାର୍କ ଉପକୂଳରୁ ମାତ୍ର ୪୩ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଥିବା ଏହି ଗଭୀର କୂପରୁ ଗତ ତିନି ଦିନ ହେବ ଉତ୍ସାହଜନକ ଭାବେ ଗ୍ୟାସ ନିର୍ଗତ ହେଉଥିବା ଜଣାପଡ଼ିଛି।

କେମିତି ମିଳିଲା ଏହି ସଫଳତା ?

ସୂଚନାଥାଉକି, ଗତ ଜୁଲାଇ ୨୫ ତାରିଖରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏହି କୂପର ଖନନ କାର୍ଯ୍ୟ ଶୁଭାରମ୍ଭ କରିଥିଲେ। ଏହି ‘MN-DW18-1-H-D’ ନାମକ କୂପକୁ ପ୍ରାୟ ୧,୬୨୩ ମିଟର ଗଭୀରତା ପର୍ଯ୍ୟନ୍ତ ଖୋଳାଯାଇଥିଲା। ଗତ ସେପ୍ଟେମ୍ବର ୧୮ ତାରିଖରେ ୧,୪୪୧ ରୁ ୧,୪୫୨ ମିଟର ଗଭୀରତା ମଧ୍ୟରେ ବ୍ୟାପକ ଗ୍ୟାସ ଗଚ୍ଛିତ ଥିବାର ପ୍ରମାଣ ମିଳିଥିଲା।

ଏହି ଗ୍ୟାସ ସନ୍ଧାନ ସ୍ଥଳଟି ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହୋଇଥିବାରୁ, ବାଣିଜ୍ୟିକ ମୂଲ୍ୟାୟନ ପରେ ଏଠାରୁ ବହୁତ ଶୀଘ୍ର ଗ୍ୟାସ ଉତ୍ପାଦନ କରାଯାଇ ବଜାରକୁ ଅଣାଯାଇପାରିବ ବୋଲି କମ୍ପାନୀ ଆଶା ପ୍ରକାଶ କରିଛି।

କ’ଣ ଏହି ‘ସମୁଦ୍ର ମନ୍ଥନ’ ଯୋଜନା?

ଭାରତକୁ ଜାଳେଣି କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାର ୮୪,୦୮୪ କୋଟି ଟଙ୍କାର ‘ରାଷ୍ଟ୍ରୀୟ ଅଫସୋର ଅନ୍ୱେଷଣ ଯୋଜନା’ ବା ‘ସମୁଦ୍ର ମନ୍ଥନ’ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହା ଅଧୀନରେ ମହାନଦୀ ବେସିନରେ କରାଯାଇଥିବା ଏହା ପ୍ରଥମ ସଫଳ ଗଭୀର ସମୁଦ୍ର ଖନନ। ଆଗାମୀ ଦିନରେ ମହାନଦୀ ସମେତ କୃଷ୍ଣା-ଗୋଦାବରୀ (KG), ଆଣ୍ଡାମାନ ଏବଂ କାବେରୀ ବେସିନରେ ମଧ୍ୟ ବ୍ୟାପକ ଖନନ ପାଇଁ ସରକାର ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି।

ଓଡ଼ିଶା ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ ?

ମହାନଦୀ ବେସିନରୁ ଗ୍ୟାସ ମିଳିବା ଦ୍ୱାରା ଆଗାମୀ ଦିନରେ ରାଜ୍ୟରେ ଶିଳ୍ପାୟନ ସହ ଗ୍ୟାସ ଭିତ୍ତିଭୂମିର ବଡ଼ ବିକାଶ ହୋଇପାରିବ। ଏହି ଅଞ୍ଚଳରେ ଥିବା ଅନ୍ୟାନ୍ୟ ପ୍ରକଳ୍ପ ସହ ମିଶି ‘ପିଏନଜି ନିୟମ ୨୦୨୫’ ଅନୁଯାୟୀ ଏହାର ବ୍ୟବହାର କରାଯିବ।

Leave A Reply

Your email address will not be published.