ଭୁବନେଶ୍ବର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭା ସପ୍ତମ ମୌସୁମୀ ଅଧିବେଶନ । ମୁହାଁମୁହିଁ ହେବେ ସରକାର-ବିରୋଧୀ । ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ । ଗତବର୍ଷ ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୮ରୁ ଆରମ୍ଭ ହୋଇଥିବା ବେଳେ ଏଥର ଏହା କିଛି ଦିନ ବିଳମ୍ବରେ ବସୁଛି । ଅଧିବେଶନ ଛୋଟ, କିନ୍ତୁ ପ୍ରସଙ୍ଗ ଅନେକ । MMDR ସଂଶୋଧନକୁ ନେଇ ବିବାଦଠାରୁ ଆରମ୍ଭ କରି ବନ୍ୟା ଓ ରିଲିଫ୍, ଚାଷୀ ପଞ୍ଜୀକରଣ, ଧାନ କିଣା, ଆଇନଶୃଙ୍ଖଳା, ଡିଜିପି ଚୟନ ବିବାଦ, ୟୁଏଇରେ ନିବେଶକ ସମ୍ମିଳନୀ ଏବଂ ଓରାଙ୍ଗଉଟାନ ପର୍ଯ୍ୟନ୍ତ ଏକାଧିକ ପ୍ରସଙ୍ଗରେ ବିରୋଧୀ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି ।
ସବୁଠୁ ବଡ଼ ପ୍ରସଙ୍ଗ ହୋଇପାରେ MMDR । ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ) ସଂଶୋଧନକୁ ନେଇ ରାଜ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହୋଇଛି । ବିଜେଡି ଓ କଂଗ୍ରେସ ଏହା ଓଡ଼ିଶାର ଖଣିଜ ସମ୍ପଦ ଓ ରାଜସ୍ୱ ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ ବୋଲି ଅଭିଯୋଗ କରିଆସୁଛନ୍ତି । ଏହି ପ୍ରସଙ୍ଗରେ ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ପାଇଁ ମଧ୍ୟ ଦାବି ହୋଇଥିଲା । ତେଣୁ ମୌସୁମୀ ଅଧିବେଶନରେ MMDRକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହେବା ପ୍ରାୟ ନିଶ୍ଚିତ । ବନ୍ୟା ଓ ରିଲିଫ୍ ଆଉ ଏକ ବଡ଼ ପ୍ରସଙ୍ଗ ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା, କ୍ଷୟକ୍ଷତି, ରିଲିଫ୍ ବଣ୍ଟନ, ପୁନର୍ବାସ ଓ କ୍ଷତିପୂରଣକୁ ନେଇ ସରକାରଙ୍କୁ ଜବାବ ମାଗିପାରନ୍ତି ବିରୋଧୀ । ବନ୍ୟା ପରିଚାଳନାରେ ତ୍ରୁଟି ହୋଇଥିବା ଅଭିଯୋଗକୁ ମଧ୍ୟ ଗୃହରେ ଉଠାଇବାକୁ ବିରୋଧୀ ପ୍ରସ୍ତୁତ । ଚାଷୀ ପଞ୍ଜୀକରଣ ଓ ଧାନ କିଣାକୁ ନେଇ ମଧ୍ୟ ସରକାର ଅଡ଼ୁଆରେ ପଡ଼ିପାରନ୍ତି । ଚାଷୀଙ୍କ ପଞ୍ଜୀକରଣ, ଯୋଗ୍ୟ ଚାଷୀ ବାଦ୍ ପଡ଼ିବା ଅଭିଯୋଗ, ଧାନ ସଂଗ୍ରହ ବ୍ୟବସ୍ଥା ଏବଂ କୃଷି କ୍ଷେତ୍ରର ଅନ୍ୟାନ୍ୟ ସମସ୍ୟାକୁ ବିରୋଧୀ ଗୃହରେ ଉଠାଇପାରନ୍ତି । ସାମଗ୍ରିକ ଭାବେ କୃଷି ସଙ୍କଟ ଏଥର ଅଧିବେଶନର ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ହେବାର ସମ୍ଭାବନା ରହିଛି ।
DGP ଚୟନକୁ ନେଇ ଚାଲିଥିବା ବିବାଦ ମଧ୍ୟ ଗୃହକୁ ଆସିପାରେ । ରାଜ୍ୟ ପୁଲିସ ମୁଖ୍ୟ ଚୟନ ପ୍ରକ୍ରିୟାକୁ ନେଇ ଉଠିଥିବା ପ୍ରଶ୍ନ ଏବଂ ଏହାକୁ କେନ୍ଦ୍ର କରି ହୋଇଥିବା ଆଇନଗତ ଓ ରାଜନୈତିକ ବିବାଦକୁ ବିରୋଧୀ ଅସ୍ତ୍ର କରିପାରନ୍ତି । ଏହା ସହ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଉପରେ ମଧ୍ୟ ସରକାରଙ୍କୁ ଜବାବ ଦେବାକୁ ପଡ଼ିପାରେ ।