ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପରିବାରମାନଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ବର୍ଷାରେ ଭାଙ୍ଗିଥିବା ଘର ବଦଳରେ ସରକାର ତୁରନ୍ତ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ମାଧ୍ୟମରେ ନୂଆ ପକ୍କା ଘର ଯୋଗାଇ ଦେବେ। ଏ ନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାୟକ ସୂଚନା ଦେଇଛନ୍ତି।
ଗତ ୪ ଦିନର ଲଗାଣ ବର୍ଷାରେ ୪ଟି ଜିଲ୍ଲାର ପ୍ରାୟ ୪୫ରୁ ୫୦ଟି ଘର ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଭାବେ ଭାଙ୍ଗିଯାଇଛି। ବର୍ଷା ଜାରି ରହିଲେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ବର୍ଷାର ପରିମାଣ କମିବା ମାତ୍ରେ ୫ ଦିନ ମଧ୍ୟରେ ସମସ୍ତ କ୍ଷୟକ୍ଷତିର ଚୂଡ଼ାନ୍ତ ଆକଳନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଘର ସହିତ ରାସ୍ତାଘାଟ, କୃଷି ଓ ଫସଲ କ୍ଷୟକ୍ଷତିର ମଧ୍ୟ ଆକଳନ କରାଯିବ। ବର୍ଷା ଯୋଗୁଁ ଦକ୍ଷିଣ ଓଡ଼ିଶାରେ ଅଧିକ କ୍ଷୟକ୍ଷତି ହୋଇଛି। ଇନ୍ଦ୍ରାବତୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ୬ଟି ପଞ୍ଚାୟତର ଲୋକେ ପ୍ରଭାବିତ ହୋଇଛନ୍ତି। ବିପନ୍ନଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ, ରନ୍ଧା ଖାଦ୍ୟ ଓ ସୁଖିଲା ରିଲିଫ୍ର ବ୍ୟବସ୍ଥା କରାଯାଇଛି।
ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ତ୍ୟୋଦୟ ଗୃହ ଯୋଜନାରେ ପ୍ରାକୃତିକ ବିପର୍ଯ୍ୟୟ (ବନ୍ୟା, ବାତ୍ୟା, ପ୍ରବଳ ବର୍ଷା) ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ପରିବାର ଏବଂ କୌଣସି ଗୃହ ନିର୍ମାଣ ଯୋଜନାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ ଏବଂ ଏହା ସହିତ ଏହି ଯୋଜନା ଅଧୀନରେ ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କୁ ୧.୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଏ। ନିର୍ଦ୍ଧାରିତ ସମୟ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କଲେ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ଅତିରିକ୍ତ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯିବାର ବ୍ୟବସ୍ଥା ରହିଛି।