କୋଲକାତା: ତୃଣମୂଳ କଂଗ୍ରେସ (ଟିଏମ୍ସି)ରୁ ବିଦ୍ରୋହ କରି “ନ୍ୟାସନାଲିଷ୍ଟ ସିଟିଜନ୍ସ ପାର୍ଟି ଅଫ୍ ଇଣ୍ଡିଆ” (ଏନ୍ସିପିଆଇ)ରେ ଯୋଗ ଦେଇଥିବା ୨୦ ଜଣ ସାଂସଦଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି। ସାଂସଦ ସାୟୋନୀ ଘୋଷଙ୍କ ସମେତ ଏହି ବିଦ୍ରୋହୀ ନେତାମାନଙ୍କ ସଦସ୍ୟତା ରଦ୍ଦ ପାଇଁ ହୋଇଥିବା ଆବେଦନର ଉତ୍ତର ରଖିବାକୁ ଲୋକସଭା ସଚିବାଳୟ ଅତିରିକ୍ତ ୧୫ ଦିନର ସମୟସୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ଦିଆଯାଇଥିବା ସମୟସୀମା ସେପ୍ଟେମ୍ବର ୨୨ରେ ଶେଷ ହୋଇଯାଇଥିଲା। ଏହାପରେ ବିଦ୍ରୋହୀ ସାଂସଦମାନେ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ଜବାବ ଦାଖଲ ପାଇଁ ଆଉ ଗୋଟିଏ ମାସ ସମୟ ମାଗିଥିଲେ। ତେବେ ବାଚସ୍ପତି ୧୫ ଦିନର ସମୟ ମଞ୍ଜୁର କରିବା ସହ ଅକ୍ଟୋବର ୮ ସୁଦ୍ଧା ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍ସିରୁ ଅସନ୍ତୁଷ୍ଟ ହୋଇ ଏହି ୨୦ ଜଣ ସାଂସଦ ଦଳ ପରିତ୍ୟାଗ କରି ଏନ୍ସିପିଆଇରେ ସାମିଲ ହୋଇଥିଲେ। ଏହାପରେ ଦଳବଦଳ ନିରୋଧୀ ଆଇନ ଅନୁଯାୟୀ ଏମାନଙ୍କ ସଂସଦୀୟ ସଦସ୍ୟତା ରଦ୍ଦ କରିବା ପାଇଁ ମମତା ବାନାର୍ଜୀ ଲୋକସଭା ବାଚସ୍ପତିଙ୍କ ନିକଟରେ ଆବେଦନ କରିଥିଲେ।