ନୂଆଦିଲ୍ଲୀ (ଆମ ଟିଭି): ମିଶନ ୨୦୨୪ ପାଇଁ ଫୁଲ୍ ଜୋସ୍ ରେ ଲଗିପଡ଼ିଛି କଂଗ୍ରେସ। ସାରା ଦେଶର କଂଗ୍ରେସ କୁ ପୁଣି ଉଠାଇବା ପାଇଁ ଆରମ୍ଭ କରିଛନ୍ତି ଭାରତ ଯୋଡୋ ଯାତ୍ରା। ଏହାରି ଭିତରେ ଗୁରୁବାର ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ । କର୍ଣ୍ଣାଟକ ମାଣ୍ଡ୍ୟାରେ ଭାରତ ଯୋଡୋ଼ ଯାତ୍ରାରେ ସାମିଲ ହୋଇଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ତେବେ ଏହି ପଦଯାତ୍ରା ସମୟରେ ଭିନ୍ନ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା । କେତେବେଳେ ରାହୁଲ ନିଜ ମା’ଙ୍କ କାନ୍ଧରେ ହାତ ରଖି ଆଗକୁ ବଢୁଥିଲେ ତ ପୁଣି କେତେବେଳେ ମା’ଙ୍କ ଜୋତାର ଫିତା ବାନ୍ଧିଥିଲେ । ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଆଉ ଏହି ଫଟୋ ଦେଖିବା ପରେ ଲୋକମାନେ ମଧ୍ୟ ରାହୁଲଙ୍କୁ ବେଶ ପ୍ରଶଂସା କରିଛନ୍ତି । ଆଉ ଏହି ଫଟୋ ଏବେ ଶଶୀ ଥରୁର ନିଜ ଟ୍ୱିଟ୍ ପେଜରେ ସେୟାର କରିଛନ୍ତି ।
ସୋନିଆ ଗାନ୍ଧୀ ପଦଯାତ୍ରାରେ ସେତେବେଳେ ସାମିଲ ହୋଇଛନ୍ତି ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ପଦକୁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି । ଆସନ୍ତା ଅକ୍ଟୋବର ୧୭ରେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୀର୍ଘ ଦିନ ପରେ ପଦଯାତ୍ରାରେ ସୋନିଆ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । କାରଣ ସ୍ୱାସ୍ଥ୍ୟଗତ କାରଣରୁ ଦୀର୍ଘଦିନ ହେବ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିଲେ ସୋନିଆ ଗାନ୍ଧୀ । ତେବେ ବିଦେଶରୁ ଚିକିତ୍ସିତ ହୋଇ ଫେରିବା ପରେ ପ୍ରଥମ ଥର ପାଇଁ ପଦଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ ଗାନ୍ଧୀ ।