ଇନ୍ଧନ ଦର କମାଇବାକୁ ମାକ୍ରୋନଙ୍କ ଗଲ୍ଫ ଗସ୍ତ, କୁଏତରୁ ଆରମ୍ଭ ହୋଇଛି କୂଟନୈତିକ ଅଭିଯାନ
ପ୍ୟାରିସ୍: ଫ୍ରାନ୍ସରେ ବଢ଼ୁଥିବା ମାହାଙ୍ଗା ,ଦରଦାମ ବୃଦ୍ଧି ଓ ଇନ୍ଧନ ଦରକୁ ନେଇ ତୀବ୍ର ଜନଅସନ୍ତୋଷ ଦେଖିବାକୁ ମିଳିଛି । ଉତ୍ୟକ୍ତ ଯୁବ ପିଢ଼ି ସାରା ସହରକୁ ଜାଳୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ସୋମବାରଠାରୁ ଗଲ୍ଫ ଦେଶଗୁଡ଼ିକୁ ଗସ୍ତ ଆରମ୍ଭ କରିଛନ୍ତି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଫ୍ରାନ୍ସ ପାଇଁ ଅଶୋଧିତ ତେଲ ଓ ଡିଜେଲ ଯୋଗାଣ ସୁନିଶ୍ଚିତ କରିବା ସହ ଇନ୍ଧନ ଦର ଉପରେ ପଡ଼ୁଥିବା ଚାପ କମାଇବା। ଅନ୍ୟପଟେ ଗଲ୍ଫ ଅଞ୍ଚଳରେ ଯୁଦ୍ଧଜନିତ ଅସ୍ଥିରତା ଯୋଗୁଁ ବିଶ୍ୱ ଶକ୍ତି ବଜାର ମଧ୍ୟ ପ୍ରଭାବିତ ହୋଇଛି।ଯାହାର ପ୍ରଭାବରୁ ବର୍ତ୍ତିପାରିନି ଫ୍ରାନ୍ସ ।
ମାକ୍ରୋନ୍ ସୋମବାର ତୈଳ ଉତ୍ପାଦକ ଦେଶଗୁଡ଼ିକର ସଂଗଠନର ସଦସ୍ୟ କୁଏତରେ ପହଞ୍ଚିଛନ୍ତି । ସେଠାରେ କୁଏତର ଆମିର ଶେଖ୍ ମିଶାଲ୍, ଅଲ୍-ଅହମଦ୍ ଅଲ୍-ଜାବେର୍ ଅଲ୍-ସବାହ ତାଙ୍କୁ ସ୍ୱାଗତ ଜଣାଇଛନ୍ତି । ଏହାପରେ ମାକ୍ରୋନ୍ ସଂଯୁକ୍ତ ଆରବ ଏମିରେଟ୍ସ , ବାହାରିନ୍ ଓ କତାର ଗସ୍ତ କରିବେ। ବୁଧବାର ସୁଦ୍ଧା ଏହି ଗସ୍ତ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।
ଏହି ଗସ୍ତରେ ଫ୍ରାନ୍ସର ଅର୍ଥନୈତିକ ଓ ପ୍ରତିରକ୍ଷା ସହଯୋଗକୁ ମଜବୁତ କରିବା ସହ ତୈଳ ଯୋଗାଣ ଏବଂ ସାମୁଦ୍ରିକ ପରିବହନର ସୁରକ୍ଷା ଉପରେ ଆଲୋଚନା ହେବ। ଫ୍ରାନ୍ସର ଦୁଇ ପ୍ରମୁଖ ଶକ୍ତି କମ୍ପାନୀ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ମାକ୍ରୋନଙ୍କ ସହ ଗସ୍ତରେ ସାମିଲ ହେବା କଥା ସାମ୍ନାକୁ ଆସିଛି ।
ଅନ୍ୟପଟେ, ଫ୍ରାନ୍ସରେ ବଢ଼ୁଥିବା ମାହାଙ୍ଗା ଓ ଖର୍ଚ୍ଚକୁ ନେଇ ସପ୍ତାହାନ୍ତରେ ବ୍ୟାପକ ହିଂସା ଦେଖାଦେଇଥିଲା। ଏହି ଘଟଣାରେ ୨,୫୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିବା ରିପୋର୍ଟରେ କୁହାଯାଇଥିବା ବେଳେ । ଅନେକ ସ୍ଥାନରେ ସ୍ଥାନୀୟ ପ୍ରଶାସନିକ କାର୍ଯ୍ୟାଳୟ ଓ ଦୋକାନଗୁଡ଼ିକୁ ଲୁଟ୍ କରାଯିବା ସହ ନିଆଁ ଲଗାଇ ଦିଆଯାଇଥିଲା। ରବିବାର ରାତିରେ ଦେଶବାସୀଙ୍କୁ ସମ୍ବୋଧନ କରି ମାକ୍ରୋନ୍ ଏହି ଅନିୟନ୍ତ୍ରିତ ହିଂସାକୁ ନିନ୍ଦା କରିଥିଲେ। ସୁରକ୍ଷା ଓ ଗୁଇନ୍ଦା ବ୍ୟବସ୍ଥାରେ ତ୍ରୁଟି ଥିବା ସେ ସ୍ୱୀକାର କରିଥିଲେ।