ସମୁଦ୍ରରେ ସୃଷ୍ଟି ହେବ ଶକ୍ତିଶାଳୀ ସିଷ୍ଟମ୍ ! ବାତ୍ୟା ଆଶଙ୍କା ନା କେବଳ ଘୂର୍ଣ୍ଣିବଳୟ ?
ପୁଣି ଅକ୍ଟୋବର ୨୯ରେ ବାତ୍ୟା ଭୟ । ୨୯ ବେଳକୁ ବାତ୍ୟା ଆଶଙ୍କା । ଓଡ଼ିଶା ଓ ଆନ୍ଧ୍ରମୁହାଁ ହେବା ସମ୍ଭାବନା । ଆସନ୍ତା ୨୨ ତାରିଖ ବେଳକୁ ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଧୀରେ ଧୀରେ ଏହା ଅଧିକ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ମଡେଲ ଗୁଡ଼ିକ ଏହି ସମ୍ଭାବ୍ୟ ଲଘୁଚାପକୁ ବାତ୍ୟାରୂପ ନେଇପାରେ ବୋଲି ଆକଳନ କରିଛନ୍ତି । ୨୮ ଓ ୨୯ ତାରିଖରେ ଏହା ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ ଏବଂ ଏହା ଆନ୍ଧ୍ରପ୍ରଦେଶ କିମ୍ବା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ ରହିଛି । ବାୟୁମଣ୍ଡଳୀୟ ଚାପରୁ ଏହାର ତୀବ୍ରତା ଶକ୍ତିଶାଳୀ ହେବା ନେଇ ପୂର୍ବାନୁମାନ କରାଯାଇଛି ।
ଗତ ସପ୍ତାହରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲେ ମଧ୍ୟ ତାହା ଅଧିକ ଘନୀଭୂତ ହୋଇ ନ ଥିଲା । ଏଥର ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ କେଉଁ ରୂପ ନେବ ତାହା ଏବେ ସୁଦ୍ଧା ଆକଳନ କରାଯାଇ ନାହିଁ । ତେବେ ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ, ୨୨ରୁ ୨୪ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନିଶ୍ଚିତ। ଏହାର ପ୍ରଭାବରେ ୨୫ କିମ୍ବା ୨୬ ତାରିଖ ପାଖାପାଖି ଲଘୁଚାପ ସୃଷ୍ଟି ହେବ । ସେତେବେଳକୁ ଏହା ଓଡ଼ିଶା ଠାରୁ ବହୁତ ଦୂରରେ ରହିଥିବାରୁ କୁମାର ପୂର୍ଣ୍ଣିମାରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।
ପରବର୍ତ୍ତୀ ସମୟରେ ଏହା ଅଧିକ ଘନୀଭୂତ ହୋଇ ପୂର୍ବ ଓ ଦକ୍ଷିଣ ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି । ତେବେ ଏହା କେତେ ଶକ୍ତିଶାଳୀ ହେବ ଏବଂ କେଉଁ ଦିଗକୁ ଗତି କରିବ, ତାହା ଏବେଠାରୁ କହିବା ସମ୍ଭବପର ନୁହେଁ । ୨୧ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ପରେ ସ୍ଥିତି ସ୍ପଷ୍ଟ ହେବ । ଅକ୍ଟୋବର ମାସରେ ଓଡ଼ିଶା ଉପକୂଳରେ ବାତ୍ୟା ହେବାର ପୁରୁଣା ଇତିହାସ ରହିଛି । ପୂର୍ବରୁ ୧୯୯୯ ମହାବାତ୍ୟା, ୨୦୧୩ରେ ‘ଫାଇଲିନ୍ ’, ୨୦୧୪ରେ ‘ହୁଡ୍ ହୁଡ୍’ ଏବଂ ୨୦୨୪ରେ ‘ଦାନା’ ଓଡ଼ିଶା ଉପକୂଳରେ ମାଡ଼ ହୋଇଥିଲା । ତେବେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ଆକଳନ କରାଯାଇ ନାହିଁ ।