ନୂଆଦିଲ୍ଲୀ: ଯଦି ଆପଣ ଟ୍ରେନରେ ଯାତ୍ରା ସମୟରେ ରାତିରେ ମୋବାଇଲ କିମ୍ବା ପାୱାର ବ୍ୟାଙ୍କ ଚାର୍ଜରେ ଲଗାଇ ଶୋଇଯାଆନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ରେଳ ବୋର୍ଡ ଟ୍ରେନ ଗୁଡ଼ିକରେ ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ମୋବାଇଲ ଚାର୍ଜିଂ ପଏଣ୍ଟ ବନ୍ଦ ରଖିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛି। ଏଭଳି ପରିସ୍ଥିତିରେ ଯାତ୍ରୀମାନେ ରାତିର ଏହି ୬ ଘଣ୍ଟା ମଧ୍ୟରେ କୋଚରେ ଲାଗିଥିବା ଚାର୍ଜିଂ ପଏଣ୍ଟ ବ୍ୟବହାର କରିପାରିବେ ନାହିଁ।
ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏହି ନିର୍ଦ୍ଦେଶକୁ ପୁଣି ଥରେ ଦୋହରାଇଛି। ନିକଟରେ ଦକ୍ଷିଣ-ପୂର୍ବ ରେଳରେ ଚାର୍ଜିଂ ସମୟରେ ଏକ ପାୱାର ବ୍ୟାଙ୍କ ଜନିତ ଘଟଣା ସାମ୍ନାକୁ ଆସିବା ପରେ ଏହି ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବା, ସେମାନଙ୍କୁ ତାଲିମ ପ୍ରଦାନ କରିବା ଏବଂ ନିୟମ ପାଳନ ହେଉଛି କି ନାହିଁ ତାହା ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି।