୬୦% ରୁ ବଢ଼ି ୬୩% ହେଲା DA, ଜାଣନ୍ତୁ କେନ୍ଦ୍ର କର୍ମଚାରୀଙ୍କ ମାସିକ ଦରମା କେତେ ବଢ଼ିବ?
କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନଶନଭୋଗୀଙ୍କ ପାଇଁ ଖୁସି ଖବର। ବୁଧବାର କେନ୍ଦ୍ର କ୍ୟାବିନେଟ୍ ମହଙ୍ଗା ଭତ୍ତା (ଡିଏ)ରେ ୩% ବୃଦ୍ଧି ନେଇ ମଞ୍ଜୁରୀ ଦେଇଛି। ଏହି ବୃଦ୍ଧି ପରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବର୍ତ୍ତମାନ ୬୦% ରୁ ବଢି ୬୩% ହୋଇଛି। ଏହି ବୃଦ୍ଧି ଜୁଲାଇ ୨୦୨୬ର ଡିଏ ସଂଶୋଧନ ଅନୁସାରେ କରାଯାଇଛି। ଏହାଦ୍ୱାରା ୫୫ ଲକ୍ଷରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପ୍ରାୟ ୬୯ ଲକ୍ଷ ପେନ୍ସନ୍ଭୋଗୀ ଉପକୃତ ହେବେ। ତେବେ ଏହି ବୃଦ୍ଧି ପରେ କର୍ମଚାରୀଙ୍କ ମାସିକ ଦରମା କେତେ ବଢ଼ିବ? ଆସନ୍ତୁ ଜାଣିବା।
କେତେ ହେବ ନୂଆ ମହଙ୍ଗା ଭତ୍ତା?
ଏପ୍ରିଲରେ ହୋଇଥିବା ବୃଦ୍ଧି ପରେ କେନ୍ଦ୍ରୀୟ କର୍ମଚାରୀମାନେ ମୂଳ ଦରମାର ୬୦ ପ୍ରତିଶତ ହିସାବରେ ମହଙ୍ଗା ଭତ୍ତା ପାଉଥିଲେ। ଏବେ ଆଉ ୩ ପ୍ରତିଶତ ବୃଦ୍ଧି ହେଲେ ଏହା ୬୩ ପ୍ରତିଶତକୁ ବଢ଼ିବ। କେନ୍ଦ୍ର ସରକାର ସାଧାରଣତଃ ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା (DA) ଏବଂ ପେନ୍ସନ୍ଭୋଗୀଙ୍କ ମହଙ୍ଗା ରିଲିଫ୍ (DR) ସଂଶୋଧନ କରନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ମୁଦ୍ରାସ୍ଫୀତି ଯୋଗୁଁ ବଢ଼ୁଥିବା ଖର୍ଚ୍ଚର ପ୍ରଭାବକୁ କମାଇବା।
ମାସିକ ଦରମା କେତେ ବଢ଼ିବ?
ଡିଏରେ ୩ ପ୍ରତିଶତ ବୃଦ୍ଧି ହେଲେ ମୂଳ ଦରମା ଅନୁଯାୟୀ କର୍ମଚାରୀଙ୍କ ମାସିକ ଆୟରେ ବୃଦ୍ଧି ହେବ। ଏଭଳି ସ୍ତିତିରେ କେନ୍ଦ୍ର କର୍ମଚାରୀଙ୍କ ଦରମାରେ ମାସିକ ୫୪୦ ଟଙ୍କାରୁ ନେଇ ୩୦୦୦ ଟଙ୍କା କିମ୍ବା ତାଠାରୁ ଅଧିକ ବୃଦ୍ଦି ହେବ। ଉଦାହରଣ ପାଇଁ ୧୮ ହଜାର ଟଙ୍କାର ବେସିକ୍ ପେ ପାଉଥିବା କର୍ମଚାରୀଙ୍କୁ ପ୍ରତିମାସ ୫୪୦ ଟଙ୍କା , ୨୫୦୦୦ ଟଙ୍କାରୁ ଅଧିକ ପାଉଥିବା କର୍ମଚାରୀଙ୍କୁ ୭୫୦ ଟଙ୍କା, ୫୦ ହଜାର ବେସିକ୍ ପେ ଥିବା କର୍ମଚାରୀଙ୍କୁ ୧,୫୦୦ ଟଙ୍କା ଓ ୧ ଲକ୍ଷ ଟଙ୍କା ବେସିକ୍ ପେ ପାଉଥିବା କର୍ମଚାରୀଙ୍କୁ ୩୦୦୦ ଟଙ୍କା ଅତିରିକ୍ତ ଅର୍ଥ ମିଳିବ।