ଆସାମ: ଆସାମର ହିମନ୍ତ ସରକାର ବହୁବିବାହ କରୁଥିବା ସରକାରୀ କର୍ମଚାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ନିଷ୍ପତ୍ତି ନେଇଛନ୍ତି । ଏବେ ଆସାମରେ ଏକାଧିକ ବିବାହ କରୁଥିବା ସରକାରୀ କର୍ମଚାରୀଙ୍କୁ ତୁରନ୍ତ ସେମାନଙ୍କୁ ଚାକିରି ବହିଷ୍କାର କରାଯିବ । ଆସାମ ସରକାର ମଙ୍ଗଳବାର ଆସାମ ସେବା ନିୟମ, ୧୯୬୪ ରେ ସଂଶୋଧନକୁ ଅନୁମୋଦନ କରିଛନ୍ତି । ତେଣୁ ଏହି ନିୟମ ଅନୁସାରେ ଏକାଧିକ ବିବାହ କରୁଥିବା କର୍ମଚାରୀଙ୍କ ବହିଷ୍କାର କରାଯିବ । ଏଥିସହ ସେମାନଙ୍କୁ ଭବିଷ୍ୟତରେ କୌଣସି ସରକାରୀ ଚାକିରି କରିବା ପାଇଁ ମଧ୍ୟ ଅଯୋଗ୍ୟ ବୋଲି ଘୋଷଣା କରାଯିବ । ଯାହା ଦ୍ବାରା ସେମାନେ ରାଜ୍ୟ ସରକାରଙ୍କ କୌଣସି କଲ୍ୟାଣକାରୀ ଯୋଜନାର ଲାଭ ଉଠାଇପାରିବେ ନାହିଁ ।
ସୂଚନାନୁଯାୟୀ, ଜୁଲାଇ ମାସରେ ଆସାମ ବଜେଟ୍ ସମୟରେ ଏହି ପ୍ରସ୍ତାବ ଘୋଷଣା କରାଯାଇଥିଲା । ରାଜ୍ୟଅର୍ଥମନ୍ତ୍ରୀ ଜୟନ୍ତ ମଲ୍ଲ ବରୁଆ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ନ୍ୟାୟକୁ ପ୍ରୋତ୍ସାହିତ କରିବା ପାଇଁ ଯେଉଁ ପୁରୁଷ ଏକାଧିକ ବିବାହ କରିଛନ୍ତି ସେମାନେ କୌଣସି ସରକାରୀ କଲ୍ୟାଣ ଯୋଜନାର ଲାଭ ପାଇବାକୁ ଯୋଗ୍ୟ ହେବେ ନାହିଁ । ଏକାଧିକ ବିବାହ କରୁଥିବା ସରକାରୀ କର୍ମଚାରୀଙ୍କୁ ତୁରନ୍ତ ସେମାନଙ୍କୁ ଚାକିରି ବହିଷ୍କାର କରାଯିବ ବୋଲି ଆସାମର ହିମନ୍ତ ସରକାର କହିଛନ୍ତି । ସରକାର ଆସାମ ସେବା ଏବଂ ଶୃଙ୍ଖଳା ନିୟମ ସଂଶୋଧନ କରିଛନ୍ତି, ନିୟମ ୭ ରେ ଏକ ନୂତନ ଧାରା ୬ ସାମିଲ କରିଛନ୍ତି ।
ଅନ୍ୟପଟେ ମୁଖ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି ଯେ, ଏହି ନିୟମ ୟୁନିଫର୍ମ ସିଭିଲ୍ କୋଡ୍(UCC) ଅଧୀନରେ ସମସ୍ତ ସମ୍ପ୍ରଦାୟ ପାଇଁ ସମାନ ଭାବେ ପ୍ରଯୁଜ୍ୟ ହେବ । ଏହି ନିୟମ ପ୍ରତ୍ୟେକ ସମ୍ପ୍ରଦାୟର ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ ।