ଆଜି ଗଞ୍ଜାମ ଯିବେ ନବୀନ, ବନ୍ୟାଞ୍ଚଳ ବୁଲି ଦେଖିବେ କ୍ଷୟକ୍ଷତିର ସ୍ଥିତି

0

ଗଞ୍ଜାମ: ଆଜି ନବୀନଙ୍କ ଗଞ୍ଜାମ ଗସ୍ତ, ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ ସ୍ଥିତି । ଶେରଗଡ଼, ହିଞ୍ଜିଳିକାଟୁ, ଆସିକା ଓ ସୋରଡ଼ାର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବେ । ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଲୋକଙ୍କ ଦୁର୍ଦ୍ଦଶା ଓ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିବେ । ବିଶେଷକରି କ୍ଷତିଗ୍ରସ୍ତ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଶୁଣିବେ ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଆଜି ସକାଳ ୧୦ଟା ୧୫ ମିନିଟ୍ ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହେଲିକପ୍ଟର ଯୋଗେ ଗଞ୍ଜାମ ଅଭିମୁଖେ ବାହାରିବେ ନବୀନ । ଜିଲ୍ଲାର ଶେରଗଡ଼, ହିଞ୍ଜିଳିକାଟୁ ବ୍ଲକ୍ ର ନୂଆବୁରୁପଡ଼ା ଗ୍ରାମ ପଞ୍ଚାୟତ, ଆସିକା ଓ ସୋରଡ଼ା ବ୍ଲକ୍ ର ବାଲିଗୋଛା ଅଞ୍ଚଳ ଗସ୍ତ କରିବେ । ବାତ୍ୟା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଜଳମଗ୍ନ ହେବା ସହ ଫସଲ କ୍ଷୟକ୍ଷତି ଘଟିଛି । ଅନେକ ଚାଷୀଙ୍କ ଜୀବିକା ପ୍ରଭାବିତ ହୋଇଛି । ବନ୍ୟା ପାଣି ଯୋଗୁଁ ଘରଦ୍ୱାର, ରାସ୍ତାଘାଟ ଓ ଅନ୍ୟାନ୍ୟ ଭିତ୍ତିଭୂମି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଏଭଳି ସ୍ଥିତିରେ ନବୀନଙ୍କ ଗସ୍ତକୁ ନେଇ ବନ୍ୟା ପ୍ରଭାବିତ ଅଞ୍ଚଳରେ ଗୁରୁତ୍ୱ ବଢ଼ିଛି । ଗସ୍ତ ସମୟରେ ସେ କ୍ଷତିଗ୍ରସ୍ତ ଚାଷଜମି ଦେଖିବା ସହ ଚାଷୀ ଓ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବେ । ଏଥିସହ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟର ସ୍ଥିତି ମଧ୍ୟ ଅନୁଧ୍ୟାନ କରିବେ । ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ କିଭଳି ସହାୟତା ମିଳୁଛି, ଚାଷୀଙ୍କ କ୍ଷୟକ୍ଷତିର ସ୍ଥିତି କ’ଣ ରହିଛି ଏବଂ ପୁନରୁଦ୍ଧାର କାର୍ଯ୍ୟ କେତେଦୂର ଆଗେଇଛି, ସେସବୁ ବିଷୟରେ ନବୀନ ତଥ୍ୟ ସଂଗ୍ରହ କରିବେ।ଗସ୍ତ ଶେଷ କରି ଅପରାହ୍ଣ ୪ଟା ୧୦ ମିନିଟ୍ ସୁଦ୍ଧା ଭୁବନେଶ୍ୱର ଫେରିବାର କାର୍ଯ୍ୟସୂଚୀ ରହିଛି । ବାତ୍ୟା ଓ ବନ୍ୟା ପରେ ନବୀନଙ୍କ ଏହି ଗଞ୍ଜାମ ଗସ୍ତ ଉପରେ ରହିଛି ନଜର ।

Leave A Reply

Your email address will not be published.