ନୂଆଦିଲ୍ଲୀ: ମହାଦେବ ଅନଲାଇନ୍ ବେଟିଂ ଆପ ମାମଲାରେ CBI ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ୬ଟି ରାଜ୍ୟରେ ୩୩ଟି ସ୍ଥାନରେ ଚଢାଉ କରାଯାଇଛି । ଚଢାଉ ସମୟରେ, ଅନେକ ସ୍ଥାନରେ ଲାଇଭ୍ ଅନଲାଇନ୍ ବେଟିଂ ପ୍ୟାନେଲ୍ ଚାଲୁଥିବା ଜଣାପଡ଼ିଥିଲା, ଯାହାକୁ ବନ୍ଦ କରିଦିଆଯାଇଥିଲା । ସିବିଆଇ ମୋବାଇଲ୍ ଫୋନ୍, ଡିଜିଟାଲ୍ ଡିଭାଇସ୍ ଏବଂ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଜବତ କରିଛି । ମୁଖ୍ୟ ଅଭିଯୁକ୍ତ ସୌରଭ ଚନ୍ଦ୍ରକାରଙ୍କୁ ପଚରାଉଚରା ସମୟରେ ମିଳିଥିବା ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।
CBI ସୂଚନା ଅନୁସାରେ, ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ଡିଜିଟାଲ୍ ଡିଭାଇସ୍, ମୋବାଇଲ୍ ଫୋନ୍ ଏବଂ ଅନେକ ଆପତ୍ତିଜନକ ଦସ୍ତାବିଜ୍ ଜବତ ହୋଇଛି । ଏହି ଡିଜିଟାଲ୍ ଓ ଦସ୍ତାବିଜ୍ ପ୍ରମାଣରୁ ବେଟିଂରୁ ମିଳୁଥିବା ଟଙ୍କାକୁ ମ୍ୟୁଲ୍ ବ୍ୟାଙ୍କ ଆକାଉଣ୍ଟ ଏବଂ ହାୱାଲା ନେଟୱର୍କ ମାଧ୍ୟମରେ ଅନ୍ୟତ୍ର ପଠାଯାଉଥିବା ସନ୍ଦେହ ହୋଇଛି । ମହାଦେବ ଅନଲାଇନ୍ ବୁକ୍ ଆପ୍ର ମୁଖ୍ୟ ପ୍ରମୋଟରଙ୍କ ମଧ୍ୟରୁ ଅନ୍ୟତମ ସୌରଭ ଚନ୍ଦ୍ରାକରଙ୍କୁ ପଚରାଉଚରା କରିବା ପରେ ମିଳିଥିବା ତଥ୍ୟ ଆଧାରରେ ଏହି ଚଢ଼ାଉ କରାଯାଇଥିବା CBI କହିଛି । ଓମାନରୁ ଭାରତକୁ ପ୍ରତ୍ୟର୍ପଣ ପରେ ନଭେମ୍ବର ୧ରେ ତାଙ୍କୁ ଗିରଫ କରିଥିଲା CBI । ପଚରାଉଚରା ସମୟରେ ଆପ୍ର କାର୍ଯ୍ୟପ୍ରଣାଳୀ ଏବଂ ଦେଶର ବିଭିନ୍ନ ଅଞ୍ଚଳରେ ସକ୍ରିୟ ପ୍ୟାନେଲ୍ ଅପରେଟରଙ୍କ ନେଟୱର୍କ ସମ୍ପର୍କରେ ତଥ୍ୟ ମିଳିଥିବା ଜଣାପଡ଼ିଛି । ମହାଦେବ ଅନଲାଇନ୍ ବୁକ୍ର ମୁଖ୍ୟ ନେଟୱର୍କ ବିଦେଶରୁ ପରିଚାଳିତ ହେଉଥିବାବେଳେ ଭାରତରେ ପ୍ୟାନେଲ୍ ଅପରେଟରଙ୍କ ଏକ ବଡ଼ ନେଟୱର୍କ ମାଧ୍ୟମରେ କାରବାର ଚାଲୁଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି । ଏହି ଅପରେଟରମାନେ ଗ୍ରାହକଙ୍କ ପାଇଁ ବେଟିଂ ଆଇଡି ତିଆରି କରିବା ସହ ଅନ୍ୟ ବ୍ୟକ୍ତିଙ୍କ ନାଁରେ ଖୋଲାଯାଇଥିବା କିମ୍ବା ଭଡ଼ାରେ ନିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଥିଲେ । ପରେ ଏହି ଟଙ୍କାକୁ ହାୱାଲା ଚ୍ୟାନେଲ୍ ଜରିଆରେ ବିଦେଶକୁ ପଠାଯାଉଥିବା ତଦନ୍ତରୁ ସୂଚନା ମିଳିଛି ।
ଅନ୍ୟପଟେ CBI ଏହି ମାମଲାରେ ଦୁଇଟି FIR ରୁଜୁ କରି ତଦନ୍ତ ଚଳାଇଛି । ନଭେମ୍ବର ୧୨ରେ ସୌରଭଙ୍କୁ ରାୟପୁରର ସ୍ୱତନ୍ତ୍ର CBI କୋର୍ଟରେ ହାଜର କରାଯିବା ପରେ ନ୍ୟାୟିକ ହାଜତକୁ ପଠାଯାଇଥିଲା । ପରବର୍ତ୍ତୀ ସମୟରେ ନଭେମ୍ବର ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଧ୍ୟ ତାଙ୍କୁ ଗିରଫ କରି ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ହେପାଜତକୁ ନେଇଛି । ଏବେ ଏହି ନେଟୱର୍କରେ ସାମିଲ୍ ଅନ୍ୟ ଅଭିଯୁକ୍ତ, ବିଦେଶରେ ରହିଥିବା ସହଯୋଗୀ ଏବଂ କାରବାରକୁ ସହଯୋଗ କରିଥିବା ସରକାରୀ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ଚଳାଇଛି CBI । ବିଦେଶରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଭାରତ ଆଣିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ।