ସମ୍ଭାବ୍ୟ ବାତ୍ୟା ‘ଅକ୍ଭାନ’ ଜନିତ ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିପର୍ଯ୍ୟୟ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଗୃହ ଓ ନଗର ଉନ୍ନୟନ (H&UD) ବିଭାଗ ପକ୍ଷରୁ ୧୯ ନଭେମ୍ବର ୨୦୨୬ରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଆଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ବିଭିନ୍ନ ପୌର ସଂସ୍ଥା ଓ ପ୍ରଶାସନିକ ସେବାରେ କାର୍ଯ୍ୟରତ ୧୪ ଜଣ ଦକ୍ଷ ଅଧିକାରୀଙ୍କୁ ୧୪ଟି ଜିଲ୍ଲାରେ ରିଲିଫ୍, ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ତୁରନ୍ତ ନିୟୋଜିତ କରାଯାଇଛି।
ଜାରି ହୋଇଥିବା ନିର୍ଦ୍ଦେଶନାମା ମୁତାବକ, କଟକ ଜିଲ୍ଲା ପାଇଁ SMCର ସହକାରୀ କମିଶନର ଅଶୋକ କୁମାର ମିଶ୍ର (ORS) ଏବଂ ଖୋର୍ଦ୍ଧା ପାଇଁ SMCର ଉପ-କମିଶନର ଭିକ୍ଟର ସୋରେନ୍ (OAS)ଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି କେନ୍ଦୁଝରରେ ରେଢ଼ାଖୋଲ NACର ଅତିରିକ୍ତ EO ରଞ୍ଜନ କୁମାର ମାର୍ଥା (ORS), ଜଗତସିଂହପୁରରେ ରାଉରକେଲା RMCର OSD ମନୋଜ କୁମାର ତାଣ୍ଡି ଏବଂ ମୟୂରଭଞ୍ଜରେ SMCର ଏନଫୋର୍ସମେଣ୍ଟ ଅଫିସର ସୁଶାନ୍ତ କୁମାର ସାହୁ (OAS) ନିୟୋଜିତ ହୋଇଛନ୍ତି। ଭଦ୍ରକ ପାଇଁ ଭବାନୀପାଟଣା ପୌରପାଳିକାର ଅତିରିକ୍ତ EO ପ୍ରମୋଦ କୁମାର ପାଢ଼ୀ (ORS) ଓ ଢ଼େଙ୍କାନାଳ ପାଇଁ SMCର ଏନଫୋର୍ସମେଣ୍ଟ ଅଫିସର ସୁଗମ ମିଶ୍ରଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି।
ଏହାଛଡ଼ା ବାଲେଶ୍ୱରରେ SMCର ଏନଫୋର୍ସମେଣ୍ଟ ଅଫିସର ଶ୍ରୀକାନ୍ତ ପାତ୍ର, କେନ୍ଦ୍ରାପଡ଼ାରେ ବରଗଡ଼ ଏନଫୋର୍ସମେଣ୍ଟ ଅଫିସର ସଞ୍ଜୟ ମାଥୁର ଗଡ଼ତିଆ ଏବଂ ଯାଜପୁରରେ ବଲାଙ୍ଗୀର ଏନଫୋର୍ସମେଣ୍ଟ ଅଫିସର ପ୍ରବୋଧ କୁମାର ଜେନାଙ୍କୁ ନିୟୋଜିତ କରାଯାଇଛି। ନୟାଗଡ଼ ପାଇଁ RMCର ଏନଫୋର୍ସମେଣ୍ଟ ଅଫିସର ସୋନାଲି ବଢ଼ାଇ, ଗଜପତି ପାଇଁ ରାଜଗାଙ୍ଗପୁର ଏନଫୋର୍ସମେଣ୍ଟ ଅଫିସର ଆଦିତ୍ୟ ଲାକ୍ରା, କନ୍ଧମାଳ ପାଇଁ RMCର ଏନଫୋର୍ସମେଣ୍ଟ ଅଫିସର ସୋନିଆ ତିର୍କୀ ଏବଂ ପୁରୀ ପାଇଁ ଝାରସୁଗୁଡ଼ା ଏନଫୋର୍ସମେଣ୍ଟ ଅଫିସର ଅଗଷ୍ଟିନ୍ ଟେଟେଙ୍କୁ ଦାୟିତ୍ୱ ମିଳିଛି।
ନିୟୋଜିତ ସମସ୍ତ ଅଧିକାରୀ ତୁରନ୍ତ ନିଜ ନିଜ ଜିଲ୍ଲାରେ ପହଞ୍ଚି ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ନିକଟରେ ରିପୋର୍ଟ କରିବେ ଏବଂ କ୍ଷେତ୍ରସ୍ତରରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।