ଭୁବନେଶ୍ୱର: ଆଜି ୧୦ ଜିଲ୍ଲାରେ କୁହୁଡ଼ି ସମ୍ଭାବନା । ଆହୁରି ବଢ଼ିବ ଶୀତ । ୨ରୁ ୩ ଡିଗ୍ରୀ ଖସିବ ପାରଦ । ରାଜ୍ୟରେ ବଢ଼ିବ ଶୀତର ପ୍ରକୋପ । ୧୦ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ସମ୍ଭାବନା । ଜି. ଉଦୟଗିରିରେ ଗତକାଲି ୮.୬ ଡିଗ୍ରୀ ରେକର୍ଡ ହୋଇଥିଲା ସର୍ବନିମ୍ନ ତାପମାତ୍ରା । ରାତିରେ ଥଣ୍ଡା ସାଙ୍ଗକୁ ସକାଳେ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ ।
ଗତକାଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ପୂର୍ବାନୁମାନ ଅନୁଯାୟୀ, ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲ୍ ସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି । ରାଜ୍ୟର ୧୦ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଛି । କୁହୁଡ଼ି ଯୋଗୁଁ କେତେକ ସ୍ଥାନରେ ଦୃଶ୍ୟମାନ ଦୂରତା ହ୍ରାସ ପାଇପାରେ । ବିଶେଷକରି ଭୋର ଓ ସକାଳ ସମୟରେ ଗାଡ଼ି ଚଳାଚଳ ବେଳେ ସତର୍କତା ଅବଲମ୍ବନ କରିବା ଜରୁରୀ ।
କନ୍ଧମାଳ ଜିଲ୍ଲାର ଜି. ଉଦୟଗିରିରେ ଗତକାଲି ସର୍ବନିମ୍ନ ତାପମାତ୍ରା ୮.୬ ଡିଗ୍ରୀ ସେଲ୍ ସିୟସ୍ ରେକର୍ଡ ହୋଇଥିଲା । ଆଗକୁ ପାରଦ ଆହୁରି ଖସିବାର ସମ୍ଭାବନା ଥିବାରୁ ଆଭ୍ୟନ୍ତରୀଣ ଓ ପାହାଡ଼ିଆ ଅଞ୍ଚଳରେ ଶୀତର ପ୍ରକୋପ ଅଧିକ ଅନୁଭୂତ ହୋଇପାରେ । ହାଲୁକା କୁହୁଡ଼ି ସମୟରେ ଦୃଶ୍ୟମାନ ଦୂରତା ୫୦୦ରୁ ୧୦୦୦ ମିଟର ଏବଂ ମଧ୍ୟମ ଧରଣର କୁହୁଡ଼ି ସମୟରେ ୨୦୦ରୁ ୫୦୦ ମିଟର ମଧ୍ୟରେ ରହିଥାଏ ।
ରାତିରେ ତାପମାତ୍ରା ହ୍ରାସ ସାଙ୍ଗକୁ ବାୟୁମଣ୍ଡଳରେ ଆର୍ଦ୍ରତା ରହିଲେ କୁହୁଡ଼ି ସୃଷ୍ଟି ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଥାଏ। ନଭେମ୍ବର ଶେଷରେ ରାଜ୍ୟରେ ଶୀତର ପ୍ରଭାବ ବଢ଼ୁଥିବା ବେଳେ ଆଜିଠୁ ରାତି ଓ ଭୋର ସମୟରେ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ ।