କଟକ: ଐତିହାସିକ ବାଲିଯାତ୍ରା କଟକ-୨୦୨୬ର ‘କଟକ ଇନ୍ କଟକ’ ପରିସରରେ ଚାଲିଛି କଟକ ମହାନଗର ନିଗମ (କେଏମସି)ର ୧୫୦ ବର୍ଷ ପୂର୍ତ୍ତି ସମାରୋହ। ଏହି ଅବସରରେ ଆଜି ତୃତୀୟ ସନ୍ଧ୍ୟାରେ ମଧୁସୂଦନ ମଞ୍ଚଠାରେ ଏକ ସାଧାରଣ ସଭା ଓ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ସଭାରେ କଟକ ମହାନଗର ନିଗମର ମାନ୍ୟବର ମେୟର ଶ୍ରୀ ସୁବାସ ସିଂହ, କମିଶନର ସୁଶ୍ରୀ କିରନଦୀପ କୌର ସହୋତା, ଭାରତ ମସଲାର ନିର୍ଦ୍ଦେଶକ ଶ୍ରୀ ସୁମନ୍ତ ପଣ୍ଡା, ରୁଚି ଫୁଡଲାଇନର ନିର୍ଦ୍ଦେଶିକା ଶ୍ରୀମତୀ ସଂଗୀତା ସାହୁ, ସମାଜସେବୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଓ ଶ୍ରୀ ପ୍ରଫୁଲ୍ଲ ସିଂହ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ମେୟର ଶ୍ରୀ ସୁବାସ ସିଂହ କହିଥିଲେ ଯେ, ବାଲିଯାତ୍ରା ଆଜି ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ପ୍ରତୀକ। କଟକ ନିଜର ଐତିହ୍ୟ ଓ ପରମ୍ପରାକୁ ପାଥେୟ କରି ଏକ ନୂଆ ପରିଚୟ ସହ ଆଗକୁ ବଢ଼ୁଛି। ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତିର ଅସ୍ମିତାର ପ୍ରତୀକ। ସାହିତ୍ୟ, କଳା ଓ ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଜାତୀୟ ସ୍ତରରେ ପରିଚିତ କରାଇବାରେ ତାଙ୍କର ଅବଦାନ ଅତୁଳନୀୟ। ଏହି ମହାନ ବରପୁତ୍ରଙ୍କ ସମ୍ମାନାର୍ଥେ ତାଙ୍କ ନାମରେ ଏହି ମଞ୍ଚର ନାମକରଣ କରାଯାଇଛି, ଯାହା ଆମର ଏକ ଛୋଟ ଶ୍ରଦ୍ଧାଞ୍ଜଳି।
ସେ ଆହୁରି କହିଥିଲେ ଯେ, ୨୦୨୨ ମସିହାରେ କଟକ ମହାନଗର ନିଗମ ପକ୍ଷରୁ ‘କଟକ ଇନ୍ କଟକ’ର ପରିକଳ୍ପନା ଓ ପ୍ରତିଷ୍ଠା କରାଯାଇଥିଲା। ଆଜି ଏହା ଐତିହାସିକ ବାଲିଯାତ୍ରାର ଆକର୍ଷଣକୁ ଆହୁରି ବୃଦ୍ଧି କରିବା ସହ କଟକର ଗୌରବମୟ ଇତିହାସ, ଐତିହ୍ୟ ଓ ସଂସ୍କୃତିକୁ ନୂଆ ପିଢ଼ି ସମ୍ମୁଖରେ ଉପସ୍ଥାପନ କରୁଛି।
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମରେ ମଧୁସୂଦନ ମଞ୍ଚର ନାମକରଣ ଏବଂ ‘କଟକ ଇନ୍ କଟକ’ର ସୌନ୍ଦର୍ଯ୍ୟକରଣ ଓ ଐତିହ୍ୟଭିତ୍ତିକ ପ୍ରଦର୍ଶନୀ ମାଧ୍ୟମରେ ବାଲିଯାତ୍ରାର ଗୌରବ ବୃଦ୍ଧି ପାଇଁ କେଏମସିର ଏହି ପ୍ରୟାସକୁ ଉପସ୍ଥିତ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ଶେଷରେ କମିଶନର ସୁଶ୍ରୀ କିରନଦୀପ କୌର ସହୋତା ଧନ୍ୟବାଦ ଅର୍ପଣ କରିଥିଲେ।
ସାଂସ୍କୃତିକ ସନ୍ଧ୍ୟାରେ ‘ଜେଞ୍ଜସ୍ ବାଇ କଟକ’ ଅନୁଷ୍ଠାନ ପକ୍ଷରୁ ଲାଇଭ୍ ଆର୍ଟ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହିଥିଲା। ନୃତ୍ୟ ସାଧନା ଓ ରୟାଲ ଡ୍ୟାନ୍ସ ଏକାଡେମୀର କଳାକାରମାନଙ୍କ ଆକର୍ଷଣୀୟ ନୃତ୍ୟ ପରିବେଷଣ ସନ୍ଧ୍ୟାକୁ ଆହୁରି ରଙ୍ଗିନ କରିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଯୁବ କଣ୍ଠଶିଳ୍ପୀ ଚକ୍ର ଓ ନିହାରିକା ନିଜ ଲାଇଭ୍ ବ୍ୟାଣ୍ଡ ସହ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ସଙ୍ଗୀତର ତାଳେ ତାଳେ ଝୁମାଇଥିଲେ।
କେଏମସିର ୧୫୦ ବର୍ଷର ଗୌରବମୟ ଯାତ୍ରାକୁ ନେଇ ‘କଟକ ଇନ୍ କଟକ’ ପରିସର ଏବେ ଉତ୍ସବମୁଖର ହୋଇଉଠିଛି। ଏଠାରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୀବନୀ ଓ ଅବଦାନକୁ ନେଇ ସ୍ୱତନ୍ତ୍ର ଗ୍ୟାଲେରୀ ସହ କଟକର ବିଭିନ୍ନ ଐତିହାସିକ ସ୍ଥାନ, ସ୍ମୃତି ଓ ଐତିହ୍ୟକୁ ନେଇ ଆକର୍ଷଣୀୟ ପ୍ରଦର୍ଶନୀ ଆୟୋଜିତ ହୋଇଛି।
ଏହି ବର୍ଷର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଇମର୍ସିଭ୍ ଜୋନ୍। ଏଠାରେ ଅତ୍ୟାଧୁନିକ AR-VR ପ୍ରଯୁକ୍ତିର ଉପଯୋଗରେ ୧୮୭୬ ମସିହାରେ କଟକ ପୌର ପରିଷଦର ଗଠନଠାରୁ ଆରମ୍ଭ କରି ଆଜିର କଟକ ମହାନଗର ନିଗମ ପର୍ଯ୍ୟନ୍ତ ୧୫୦ ବର୍ଷର ଐତିହାସିକ ଯାତ୍ରାକୁ ଏକ ନିଆରା ଓ ଅନୁଭୂତିମୂଳକ ଢଙ୍ଗରେ ପ୍ରଦର୍ଶିତ କରାଯାଉଛି। ଏଥିସହ ଛୋଟ ପିଲାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ରୀଡ଼ାଙ୍ଗନର ବ୍ୟବସ୍ଥା ମଧ୍ୟ କରାଯାଇଛି।