ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୧୨ରେ ହିମାଚଳପ୍ରଦେଶରେ ବିଧାନସଭା ନିର୍ବାଚନ ହେବ ବୋଲି ଗତକାଲି ନିର୍ବାଚନ କମିସନ ଘୋଷଣା କରିସାରିଥିବା ବେଳେ ଗୁଜରାଟ ନିର୍ବାଚନ ତାରିଖ ଯେକୌଣସି ସମୟରେ ଘୋଷଣା କରାଯାଇପାରେ। ଏହା ପୂର୍ବରୁ ଟାଇମ୍ସ ନାଓ- ନବଭାରତ ପକ୍ଷରୁ ହୋଇଥିବା ଜନମତ ସର୍ଭେ ଅନୁସାରେ ଏହି ଦୁଇ ରାଜ୍ୟରେ ବିଜେପି ପୂର୍ବାପେକ୍ଷା ଅଧିକ ସଂଖ୍ୟାରେ ଜିତି ପୁନଶ୍ଚ ସରକାର ଗଢ଼ିବ ବୋଲି ଜଣାପଡ଼ିଛି ।
ଗୁଜରାଟରେ ଦୁଇ ଦଶନ୍ଧିରୁ ଅଧିକ କାଳ ଧରି ବିଜେପି କ୍ଷମତାରେ ଅଛି। ଏଥର ନିର୍ବାଚନରେ ଉକ୍ତ ରାଜ୍ୟରେ ମୋଟ ୧୮୨ ଆସନରୁ ବିଜେପି ୧୨୫-୧୩୧ ଭିତରେ ଆସନ ପାଇ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଜିତିବା ଜନମତରୁ ଜଣାପଡ଼ିଛି। ସର୍ଭେ ଅନୁସାରେ ଏଠାରେ କଂଗ୍ରେସକୁ ୨୯ରୁ ୩୩ ଏବଂ ଆମ୍ ଆଦ୍ମୀ ପାର୍ଟିକୁ ୧୮ରୁ ୨୨ ସିଟ୍ ମିଳିପାରେ। ଅନ୍ୟାନ୍ୟ ଦଳ ବା ସ୍ବାଧୀନ ୨ରୁ ୪ ଆସନ ପାଇପାରନ୍ତି। ତେବେ ହିମାଚଳପ୍ରଦେଶରେ ମୋଟ ୬୮ ଆସନରୁ ବିଜେପି ୩୮ରୁ ୪୨ ଭିତରେ ଆସନ ପାଇବ ବୋଲି ଜନମତ ସର୍ଭେରୁ ଜଣାପଡ଼ିଛି। ସେହିପରି ଏଠାରେ କଂଗ୍ରେସକୁ ୨୫ରୁ ୨୯ ଏବଂ ଆପ୍କୁ ୦ରୁ ୧ ସିଟ୍ ମିଳିପାରେ। ଅନ୍ୟାନ୍ୟ ଦଳ ବା ସ୍ବାଧୀନ ୧ରୁ ୨ ଆସନ ପାଇପାରନ୍ତି। ଏଥର ହିମାଚଳରେ ବିଜେପିକୁ ସବୁଠୁ ଅଧିକ ୪୭ ପ୍ରତିଶତ ଭୋଟ ମିଳିବ। ସେହିପରି କଂଗ୍ରେସକୁ ୪୦ ପ୍ରତିଶତ ଓ ଏଠାରେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ଆପ୍କୁ ୬ ପ୍ରତିଶତ ଭୋଟ ମିଳିବ ବୋଲି ସର୍ଭେରୁ ଅନୁମାନ କରାଯାଉଛି।