ପାକିସ୍ତାନ ସରକାରଙ୍କୁ ଇମ୍ରାନଙ୍କ ଚେତାବନୀ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପୁଣିଥରେ ଶେହବାଜ ଶରିଫ୍ ସରକାରଙ୍କୁ କଡା ଚେତାବନୀ ଦେଇଛନ୍ତି। ଇମ୍ରାନ୍ ଭାରତର ବୈଦେଶିକ ନୀତିର ପ୍ରଶଂସା କରିଛନ୍ତି ଓ ଆଇଏସଆଇକୁ ଖୋଲାଖୋଲି ଭାବରେ ଚେତାବନୀ ଦେଇଛନ୍ତି। ଇମ୍ରାନ୍ କହିଛନ୍ତି, ମୁଁ ଆଇଏସଆଇର ମୁଖା ଖୋଲି ଦେବି। ମୁଁ କୌଣସି ଆଇନକୁ ଭାଙ୍ଗୁ ନାହିଁ। ଇମ୍ରାନ୍ ସେନା ମୁଖ୍ୟ ବାଜଓ୍ବାଙ୍କୁ ମୀର ଜାଫର ଓ ଦେଶଦ୍ରୋହୀ ବୋଲି କହି ସମ୍ବୋଧିତ କରିଛନ୍ତି। ଇମ୍ରାନ୍ କହିଛନ୍ତି, ମୁଁ ନଓ୍ବାଜ ଶରିଫ୍ଙ୍କ ଭଳି ପଳାୟନ କରି ନାହିଁ। ଦେଶରେ ଅଛି ଓ ଆଇନର ସାମନା କରିବି।
ଉଲ୍ଲେଖନୀୟ ଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍-ଇ-ଇନସାଫ୍(ପିଟିଆଇ)ର ଅଧ୍ୟକ୍ଷ ଇମ୍ରାନ୍ ଖାନ୍ ଓ ପାର୍ଟି କାର୍ଯ୍ୟକର୍ତ୍ତା ଲାହୋର ଲିବର୍ଟି ଚୌକ୍ରୁ ଇସଲାମାବାଦ ପର୍ଯ୍ୟନ୍ତ ‘ହକିକି ଆଜାଦି ଲଙ୍ଗ ମାର୍ଚ୍ଚ’ ଆରମ୍ଭ କରିଥିଲେ। ଏହି ସମୟରେ ଇମ୍ରାନ୍ ଜନତାଙ୍କୁ ସମ୍ବୋଧିତ କରିଛନ୍ତି।
ପାକିସ୍ତାନରେ ଇମ୍ରାନ୍ ଖାନ୍ ଓ ଆର୍ମି ମୁଖ୍ୟ ଜେନେରାଲ କମର ଜାଭେଦ ବାଜଓ୍ବା, ଆଇଏସ୍ଆଇ ମୁଖ୍ୟ ନଦୀମ ଅଞ୍ଜୁମଙ୍କ ଭିତରେ ଖୋଲାଖୋଲି ବିବାଦ ଚାଲିଛି। ଇମ୍ରାନ୍ ଲଗାତାର ବାଜଓ୍ବାଙ୍କୁ ମୀର ଜାଫର ଓ ଗଦ୍ଦାର ବୋଲି କହୁଛନ୍ତି। ଇମ୍ରାନ୍ ଖାନ୍ ଆକ୍ରମଣର ଜବାବ୍ ଦେବା ପାଇଁ ଡାଇରେକ୍ଟର ଜେନେରାଲ ଆଇଏସ୍ଆଇ ଲେଫ୍ଟନାଣ୍ଟ ନଦୀମ ଅଞ୍ଜୁମଙ୍କୁ ମିଡିଆ ସାମନାକୁ ଆସିବାକୁ ପଡିଛି। ସେ ଇମ୍ରାନ୍ଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି।