ପାଟନା (ଆମ ଟିଭି): ବିହାରରେ ଉପନିର୍ବାଚନକୁ ନେଇ ସରଗରମ ରାଜ୍ୟ ରାଜନୀତି । ପାଖେଇ ଆସୁଛି ବିହାର ଉପ-ନିର୍ବାଚନ। ଏଠାରେ ଦୁଇଟି ସିଟ୍ରେ ଉପନିର୍ବାଚନ ହେବ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ନିଜ ନିଜ ଶକ୍ତି ଦେଖାଇବାରେ ଲାଗିପଡିଛନ୍ତି। ଏହାରି ଭିତରେ ବିଜେପିକୁ ସମର୍ଥନ କରିବାକୁ ଘୋଷଣା କରିଛନ୍ତି ଲୋକ ଜନଶକ୍ତି ଦଳର ମୁଖ୍ୟ ଚିରାଗ ପାସୱାନ। ଦୁଇଟି ଯାକ ଆସନରେ ସେ ବିଜେପିକୁ ସମର୍ଥନ ଦେବାକୁ କହିଛନ୍ତି।
ସେ କହିଛନ୍ତି ଯେ ବିଜେପି ନେତାଙ୍କ ସହ ଦୀର୍ଘ ଦିନର ବାର୍ତ୍ତାଳାପ ପରେ ସେ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଏବଂ ଏହି ସମୟରେ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ଆଲୋଚନା ଆଗାମୀ ସମୟରେ ମଧ୍ୟ ଜାରି ରହିବ। ଛଠ୍ ପର୍ବ ଏବଂ ନିର୍ବାଚନ ସରିବା ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଅମିତ ଶାହାଙ୍କ ସହ ଏକ ବୈଠକ ହେବ। କିନ୍ତୁ ବର୍ତ୍ତମାନ ନିର୍ବାଚନରେ ବିଜେପି ପ୍ରାର୍ଥୀ ଜିତିବା ପାଇଁ ଦଳ ଯଥାସମ୍ଭବ ଚେଷ୍ଟା କରିବ ବୋଲି ନିଷ୍ପତ୍ତି ନିଆଯାଇଛି। କେବଳ ସେତିକି ନୁହେଁ ବିହାରର ଗୋପଳଗଞ୍ଜ ଓ ମୋକାମା ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ବଜେପି ଲାଗି ପ୍ରଚାର ପ୍ରସାର ମଧ୍ୟ କରିବେ ବୋଲି ଚିରାଗ କହିଛନ୍ତି।