ଭୁବନେଶ୍ବର (ଆମ ଟିଭି): ପୁରା ହେଲା କୋରାପୁଟ ଜିଲ୍ଲାବାସୀଙ୍କ ସ୍ୱପ୍ନ । ଭୁବନେଶ୍ୱରରୁ ଜୟପୁରକୁ ଉଡିଲା ବିମାନ । ଆଜିଠୁ ଭୁବନେଶ୍ବରୁ ଜୟପୁରକୁ ବିମାନ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ପୂର୍ବାହ୍ନ ୧୦.୩୦ରେ ପତାକା ଦେଖାଇ ବିମାନ ସେବା ଶୁଭାରମ୍ଭ କରିଛନ୍ତି। ଏହି ବିମାନ ସେବା ଯୋଗୁଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାବାସୀ ଉପକୃତ ହେବେ।
ପ୍ରଥମ ପର୍ୟ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇବ ଇଣ୍ଡିଆ ଓ୍ବାନ ଏୟାର । ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ ।ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ୍ ମୂଲ୍ୟ ୧୦୪୯ ଟଙ୍କା ରହିଛି । ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ । ଜୟପୁରକୁ ବିମାନ ସେବା ଆରମ୍ଭ ହେବା ଅବିଭକ୍ତ କୋରାପୁଟବାସୀଙ୍କ ପାଇଁ ଯେତିକି ଆନନ୍ଦର କଥା, ତାହାଠୁ ଅଧିକ ସୁଖର କଥା ସମଗ୍ର ଓଡିଶାବାସୀ ଓ ସୀମାନ୍ତ ଆନ୍ଧ୍ର, ଛତିଶଗଡ଼ ଅଧିବାସୀଙ୍କ ପାଇଁ ।