ମୋର୍ବିରେ ଘଟିଥିବା ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଭେଟିବେ ମୋଦି
ଅହମ୍ମଦାବାଦ: ଗୁଜରାଟ ମୋର୍ବିରେ ଘଟିଥିବା ଝୁଲା ପୋଲ ଟ୍ରାଜେଡ଼ି ପରେ ଆଜି ଘଟଣାସ୍ଥଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନିର୍ବାଚନ ପ୍ରଚାର ପାଇଁ ତିନିଦିନିଆ ଗୁଜୁରାଟ ଗସ୍ତରେ ଥିବା ମୋଦି ଗତକାଲି ବ୍ରିଜ୍ ଟ୍ରାଜେଡିର ସମୀକ୍ଷା କରିଥିଲେ। ତେବେ ଆଜି ସେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବେ। ସେଠାରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ସହ ଆହତମାନଙ୍କୁ ଭେଟିବେ ।
ଏହାପୂର୍ବରୁ ଗତକାଲି ଗାନ୍ଧିନଗର ରାଜଭବନରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ ଉଦ୍ଧାର କାର୍ଯ୍ୟ କିଭଳି ଚାଲିଛି, ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା କିଭଳି ଅଛି ସେନେଇ ସମୀକ୍ଷା କରିଥିଲେ। ବୈଠକରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ, ପୁଲିସ ଡିଜି ଓ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରମୁଖ ସାମିଲ ଥିଲେ।
ସେପଟେ ଏହି ଝୁଲା ପୋଲ ଟ୍ରାଜେଡି ଘଟଣାରେ ଏଯାଏଁ ୯ ଜଣଙ୍କୁ ଗିରଫ କରାଯାଇଛି। ବ୍ରିଜ୍ ମରାମତି ଦାୟିତ୍ୱରେ ଥିବା କମ୍ପାନୀ ଓରେଭାର ଅଧିକାରୀ, ଟିକେଟ୍ ବିକ୍ରେତା ଏବଂ ସୁରକ୍ଷାକର୍ମୀଙ୍କୁ ବାନ୍ଧିଛି ପୁଲିସ। ବ୍ରିଜ୍ ମରାମତି କରୁଥିବା କମ୍ପାନୀ ଓରେଭା, ବ୍ୟାପକ ସୁରକ୍ଷା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।