ଭୁବନେଶ୍ୱର (ଆମ ଟିଭି): ଆଜି ପ୍ରଭାତରୁ ଚତୁର୍ଥ ଦିନର “ଭାରତ ଯୋଡ ଯାତ୍ରା-ଓଡ଼ିଶା” ବଡ଼ଚଣା ପେଟ୍ରୋଲ ଟାଙ୍କି ଠାରୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ, ଚାଷୀ, ଶ୍ରମିକ, ବେକାର ଯୁବକ, ଛାତ୍ର ଓ ବିଭିନ୍ନ ସାମାଜିକ ଅନୁଷ୍ଠାନର ବ୍ୟକ୍ତିବିଷେଶ ଏଥିରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସ୍ଥାନରେ ସ୍ଥାନୀୟ ଅଧିବାସୀମାନେ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ସ୍ୱାଗତ କରିବା ସହ ସେଠିକାର ସ୍ଥାନୀୟ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ । ଗଣମାଧ୍ୟମକୁ ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ନବୀନ ଓ ମୋଦି ସରକାର ଲୋକଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । ଭୋଟ ହାତେଇ ନେବାପରେ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିନାହାନ୍ତି । ନଗଡ଼ାର ଚିତ୍ର ଯାଜପୁର ବିକାଶର ମାପକାଠି ।
କଳିଙ୍ଗନଗର ଆଦିବାସୀ ଗଣହତ୍ୟା ଘଟଣାରୁ ନବୀନ ସରକାରର ଆଦିବାସୀ ବିରୋଧି ମନୋଭାବ ସ୍ପଷ୍ଟ ପ୍ରକଟିତ । ସେଠାରେ ନବୀନ ସରକାର ଆଦିବାସୀଙ୍କ ରକ୍ତରେ ହୋଲି ଖେଳିଥିଲା । ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ । ଧର୍ମଶାଳାର ବହୁ ଚର୍ଚ୍ଚିତ ସ୍ମିତାରାଣୀ ହତ୍ୟା ଘଟଣା ପୋଲିସ ଫାଇଲତଳେ ଚପେଇ ଦିଆଯାଇଛି । ଏପରିକି ମା’ ବିରଜାଙ୍କ ପ୍ରତି ମଧ୍ୟ ଶାସକଦଳର ସମ୍ମାନ ନାହିଁ । ମା’ ବିରଜାଙ୍କ ମୂର୍ତି ବଦଳ ଘଟଣାର ତଦନ୍ତ ବାଟବଣା ହୋଇଯାଇଛି । ଏହା କେବଳ ଯାଜପୁର ନୁହେଁ ସାରା ଓଡିଶାର ଜନସାଧାରଣଙ୍କ ଭାବାବେଗକୁ ଆଘାତ କରିଛି । ଯାଜପୁର ଜିଲ୍ଲାର ଶିଳ୍ପମାନଙ୍କରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ । ମେକଇନ ଓଡ଼ିଶା କନ୍କ୍ଲେଭ ଓଡିଶାବାସୀଙ୍କୁ ଭୁଆଁ ବୁଲାଇବାପାଇଁ ଉଦ୍ଦିଷ୍ଟ । ଯାଜପୁର ଜିଲ୍ଲାରେ ଅବସ୍ଥିତ ନିଳାଚଳ ଇସ୍ପାତ ନିଗମ ଭଳି ଉଦ୍ୟୋଗକୁ ରୁଗ୍ଣ କରାଯାଇ ଶେଷରେ ସାଗମାଛ ଦରରେ ଟାଟା କମ୍ପାନୀ ହାତରେ ସମର୍ପଣ କରିଦିଆଗଲା । ଏବେ ନିଯୁକ୍ତି ଓ ବିକାଶର ଭେଳିକି ଦେଖାଇ କୋଟି ସରକାରୀ ଅର୍ଥ ବ୍ୟୟ କରି ମେକଇନ ଓଡ଼ିଶା କନକ୍ଲେଭ କରାଇବାର ଯଥାର୍ଥତା କ’ଣ । ନବୀନ ସରକାର କେବଳ ଏମଓୟୁ ଦସ୍ତଖତ କରନ୍ତି କିନ୍ତୁ ଏହାକୁ ସାକାର କରିବାରେ ବିଫଳ ।
ଡଙ୍ଗାରୀ ପାହାଡ଼ରୁ ଲଘୁ ଖଣିଜ ଦ୍ରବ୍ୟର ଅବାଧ ଲୁଟ ଚାଲିଛି । ବ୍ରାହ୍ମଣୀ ଓ କେଲୁଅ ନଦୀରୁ ବାଲି ଲୁଟ ଚାଲଛି । ରାମକୋ ସିମେଣ୍ଟର ପ୍ରଦ୍ୟୁଷଣରେ ଲୋକେ ଅଣନିଶ୍ୱାସୀ । ଏହି ଜିଲ୍ଲାର ଶାସନ ଡୋରି କେତୋଟି ନିର୍ଦ୍ଦିଷ୍ଟ ପରିବାର ହାତରେ ୩୦ ବର୍ଷରୁ ଉର୍ଦ୍ଧଧରି ବନ୍ଧା ପଡ଼ିଛି । ସେମାନେ ଜିଲ୍ଲାବାସୀଙ୍କୁ ପ୍ରତାରିତ କରି ଜିଲ୍ଲାର ସଂପତିକୁ ହରିଲୁଟ କରୁଛନ୍ତି । ଏଠିକାର ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ବିପର୍ୟ୍ୟସ୍ତ । ଯାଜପୁର ଜିଲ୍ଲା ରତ୍ନଗର୍ଭା ମାତ୍ର ଯାଜପୁର ଜିଲ୍ଳାର ବାସିନ୍ଦା ଉତ୍କଟ ଦାରିଦ୍ର ଓ ବେକାରୀର ଶିକାର । କଳିଙ୍ଗ ନଗରରର ଶିଳ୍ପାଂଚଳର ପ୍ରଦୁଷଣରେ ସ୍ଥାନୀୟ ବାସିନ୍ଦା ରୁଗଣଗ୍ରସ୍ତ । ଏମାନେ ଧୂଆଁ ଧୂଳି ଖାଉଛନ୍ତି ମାତ୍ର ସେଠାରେ ସ୍ଥାନୀୟ ନିଯୁକ୍ତି ନାହିଁ । ନବୀନ ଓ ମୋଦି ସରକାର ପାଇଁ ଓଡ଼ିଶାର ସ୍ୱାଭିମାନ, ସମ୍ମାନ ଓ ଗୌରବମୟ ଇତିହାସ ଆଜି ଲୁଣ୍ଠିତ । ଲୋକେ ଭୋକ ବିକଳରେ ଦାଦନ ଖଟିବାକୁ ଯାଇ ଓଡ଼ିଶା ମାଟି ଛାଡ଼ୁଛନ୍ତି । ଆମେ ଏକ ସଂକଟମୟ ପରିସ୍ଥିତି ଦେଇ ଗତିକରୁଛେ । ଗାଁରୁ ରାଜଧାନୀ ପର୍ୟ୍ୟନ୍ତ ମୋଦି ଓ ନବୀନ କୁଶାସନର ବିକଳ ଚିତ୍ରକୁ ସିଧାସଳଖ ଭାରତ ଯୋଡ଼ ଯାତ୍ରା ଓଡ଼ିଶା କାର୍ୟ୍ୟକ୍ରମ ମାଧ୍ୟମରେ ସ୍ପଷ୍ଟ ଜାଣିହେଉଛି । ଚତୁର୍ଥ ଦିନର ଯାତ୍ରା ସଂଧ୍ୟା ସୁଦ୍ଧା ଜାର୍କାଠାରେ ପହଂଚିଛି । ଆସନ୍ତା କାଲି ପଂଚମ ଦିନର ଯାତ୍ରା ଆରମ୍ଭ ହେବ ।