ଭୁବନେଶ୍ୱର(ଆମ ଟିଭି): ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଭାରତ ଯୋଡ଼ ଯାତ୍ରା- ଓଡ଼ିଶା ଅଷ୍ଟମ ଦିନର ସୋର ନିର୍ବାଚନ ମଣ୍ଡଳୀର ସିରା ପଡ଼ିଆଠାରୁ ସକାଳ ୯ ଘଂଟା ସମୟରେ ଆରମ୍ଭ ହୋଇଥିଲା । ହଜାର ହଜାର କଂଗ୍ରେସ କର୍ମୀ ଯୁବକ, ଛାତ୍ର, ମହିଳା, କୃଷକ, ଶ୍ରମିକ, ବୁଦ୍ଧିଜୀବି ଓ ବିଭିନ୍ନ ବର୍ଗର ବ୍ୟକ୍ତି ଏହି ଯାତ୍ରାରେ ଅଂଶଗ୍ରହଣ କରିଥିଲେ । ସୋର ମୁନିସ୍ପାଲଟି ପରିକ୍ରମା କରି ଏହି ଯାତ୍ରା ମଧ୍ୟାହ୍ନରେ ଦହିଷଡ଼ା ପାଖରେ ପଂହଚିଥିଲା । ମଧ୍ୟାହ୍ନ ପରେ ଅଷ୍ଟମ ଦିନର ପଦଯାତ୍ରା ବାହାନଗା ଠାରେ ଶେଷ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସମ୍ବୋଦ୍ଧିତ କରି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ କହିଥିଲେ ଯେ ମୋଦି ଓ ନବୀନ ଶାସନରେ ଦେଶ ଓ ରାଜ୍ୟର ଜନସାଧାରଣ ଏକ ସଂକଟମୟ ପରିସ୍ଥିତି ଦେଇ ଗତି କରୁଛନ୍ତି । ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ନିଜ ଭିତରେ ଭାଙ୍ଗିତୁଟି ଯାଉଥିବା ଭାରତବର୍ଷକୁ ଯୋଡ଼ିବା ପାଇଁ ଅଭିପ୍ରେତ । ଭାରତ ଯୋଡ଼ ଯାତ୍ରା ଆଜିର ଭୟଙ୍କର ପରିସ୍ଥିତିର ଏକ ଆହ୍ୱାନ । ମୋଦିଙ୍କ ହିଟଲରୀ ଶାସନର ତ୍ରାହି ତ୍ରାହି ଡାକୁଥିବା ଦେଶର ଜନସାଧାରଣଙ୍କୁ ଉଦ୍ଧାର କରିବା ପାଇଁ ଏକ ଅତୁଳନୀୟ ଜନ ଆନ୍ଦୋଳନ ଗଣତନ୍ତ୍ର ଓ ସମ୍ବିଧାନକୁ ଅକାମୀ କରିବାକୁ ଷଡ଼ଯନ୍ତ୍ର କରୁଥିବା ଗୈରିକ ଶକ୍ତି ବିରୁଦ୍ଧରେ ଏହା ସାଧାରଣ ଜନତାର ସମବେତ ସ୍ୱର । ମୋଦି କୃତ ଆକାଶ ଛୁଆଁ ମହଙ୍ଗା, ଉତ୍କଟ, ଦାରିଦ୍ର୍ୟ, ବେକାରୀ, କ୍ଷୁଧା, କୃଷକ ମାରଣ ନୀତି ପ୍ରପୀଡ଼ିତ ଭାରତୀୟଙ୍କର ଏକ ଆନ୍ଦୋଳନ ମୁକ୍ତିର ମଶାଲ । ସାମ୍ବିଧାନିକ ଅନୁଷ୍ଠାନକୁ ଦୁର୍ବଳ, ପକ୍ଷପାତୀ ଓ ହାତ ବାରିସ କରୁଥିବା ମୋଦିତନ୍ତ୍ର ବିରୁଦ୍ଧରେ ଏହା ଏକ ଜନଜାଗରଣ ।
ଦେଶର ଭାତୃତ୍ୱ, ଧର୍ମ ନିରପେକ୍ଷତାକୁ ଆଘାତ କରୁଥିବା ବିଭେଦକାରୀ ଶକ୍ତି ବିରୁଦ୍ଧରେ ଏହା ଏକ ଅଭୂତପୂର୍ବ କ୍ରାନ୍ତି । ୨୨ବର୍ଷ ଧରି ଓଡ଼ିଶାକୁ ଲୁଣ୍ଠନ କରୁଥିବା ନବୀନ ସରକାରର ପତନ ହିଁ ଭାରତ ଯୋଡ଼ ଯାତ୍ରା – ଓଡ଼ିଶାର ଲକ୍ଷ୍ୟ । ଏଠାରେ ଖାଇ ପିଇ କେବଳ ଜୀବନ ବଂଚାଇବାକୁ ହିଁ ବିକାଶ କୁହାଯାଉଛି । ନବୀନ ସରକାରରେ ବିକାଶ ଏକ ପ୍ରତାରଣା ପୂର୍ଣ୍ଣ ଶବ୍ଦ । ୨୨ ବର୍ଷ ଭିତରେ ଚାଷୀର ସର୍ବନାଶ ହୋଇଛି, ଯୁବକମାନଙ୍କର ସ୍ୱପ୍ନ ଧୂଳିସାତ ହୋଇଛି, ଦୁଷ୍କର୍ମପିଡ଼ିତା କୌଣସି ମହିଳା ନ୍ୟାୟ ପାଇ ନାହାନ୍ତି, ସମସ୍ତ ସରକାରୀ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ ବାରି ହୋଇପଡ଼ିଛି । ସର୍ବୋପରି ଏହା ଏକ ପିସି ସରକାରର ଅପବାଦ ମୁଣ୍ଡାଇଛି । ନିର୍ବାଚନବେଳେ ଭୋଟରଙ୍କ ଗରିବିକୁ କିଣି ଦିଆଯାଉଛି । ଶାସକ ଦଳର ବିଧାୟକ ସାଂସଦ ଓ ନେତାମାନେ ଦୁର୍ନୀତି, ଭ୍ରଷ୍ଟାଚାର, ହତ୍ୟା ଓ ଣ୍ଠୁଣ୍ଠନର ଶୀକାର ହୋଇଥିଲେ ମଧ୍ୟ ସେମାନେ ଦଣ୍ଡିତ ହେଉ ନାହାନ୍ତି । ସରକାରୀ ଅନୁଷ୍ଠାନ ଗୁଡ଼ିକୁ ଦଳୀୟ କାର୍ଯ୍ୟାଳୟ ଭାବରେ ବ୍ୟବହାର କରାଯାଉଛି । ଶିକ୍ଷା ଓ ସ୍ୱାସ୍ଥ୍ୟସେବା ପ୍ରଭୃତି କ୍ଷେତ୍ରରେ ୨୨ ବର୍ଷ ଧରି ଚରମ ବିଫଳତା ପରିଦୃଷ୍ଟ ହେଉଛି । ଭାରତ ଯୋଡ଼ ଯାତ୍ରା –ଓଡ଼ିଶାର ମୁଖ୍ୟବାର୍ତା ହେଲା ପରିବର୍ତନ । ପରିବର୍ତନ ନହେଲେ ମହାମାରୀର ରୂପ ନେଇଥିବା ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି, ବେକାରୀ ଓ ଦାରିଦ୍ର୍ୟ କବଳରୁ ମୁକ୍ତି ମିଳିବ ନାହିଁ । ଏଥିରେ ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗ ଦେଇଥିଲେ ।