ବିଜେପି ଟିକେଟରୁ ନିର୍ବାଚନ ଲଢ଼ିବେ ଜାଡେଜାଙ୍କ ସ୍ତ୍ରୀ

0

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ୧୬୦ ଜଣଙ୍କ ପ୍ରାର୍ଥୀଙ୍କ ତାଲିକା ଜାରି କରିଛି ବିଜେପି। ଦୀର୍ଘ ୨୭ ବର୍ଷ ହେଲା ଗୁଜରାଟରେ କ୍ଷମତାରେ ଥିବା ବିଜେପି ଏଥର ନିର୍ବାଚନରେ ସେଲେବ୍ରିଟି ଓ କଂଗ୍ରେସରୁ ଆମଦାନୀ ହୋଇଥିବା ନେତାଙ୍କୁ ଅଧିକ ଗୁରୁତ୍ୱ ଦେଉଛି।

ଏହାର ଝଲକ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକାରୁ ସ୍ପଷ୍ଟ ହୋଇଛି। ଦଳ ପକ୍ଷରୁ କଂଗ୍ରେସରୁ ଆସିଥିବା ହାର୍ଦ୍ଦିକ ପଟେଲଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦେଇଛି। ସେ ବୀରାମଗ୍ରାମରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ସେହିପରି ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ମଧ୍ୟ ବିଜେପି ଟିକେଟ ପାଇଛନ୍ତି।

ସେ ଗୁଜରାଟର ଜାମନଗର ଉତ୍ତର ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ। ୨୦୧୯ରେ ରିଭାବା ବିଜେପିରେ ମିଶିଥିଲେ। ସେତେବେଳେ ଚର୍ଚ୍ଚା ହେଉଥିଲା ଯେ ଜାମନଗର ଲୋକସଭା ଆସନରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିବ। ହେଲେ ସେମିତି କିଛି ବି ଘଟି ନଥିଲା। ହେଲେ ଦଳ ସହ ୩ ବର୍ଷ ରହିବା ପରେ ଏଥର ବିଧାନସଭା ନିର୍ବାଚନରେ ଜାଡେଜାଙ୍କ ପତ୍ନୀଙ୍କୁ ବିଜେପି ପ୍ରାର୍ଥୀ କରିଛି। ଜାମନଗର ଉତ୍ତରୁ ୨୦୧୭ରେ ବିଜେପି ଟିକେଟରେ ଧର୍ମେନ୍ଦ୍ର ସିଂହ ଏମ ଜାଡେଜା ଜିତିଥିଲେ। କିନ୍ତୁ ଦଳ ତାଙ୍କୁ ଏଥର ପ୍ରାର୍ଥୀ କରିନାହିଁ।

ରିଭାବା ଜଣେ ମେକାନିକାଲ ଇଞ୍ଜିନିୟର। ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ଭାବେ ତାଙ୍କର ବେଶ ଲୋକପ୍ରିୟତା ରହିଛି। ରିଭାବା କଂଗ୍ରେସ ଭେଟରାନ ହରି ସିଂହ ସୋଲାଙ୍କିଙ୍କ ଅତ୍ୟନ୍ତ ଘନିଷ୍ଠ ବୋଲି କୁହାଯାଉଥିଲା। ହେଲେ ସେ ୩ ବର୍ଷ ତଳେ ବିଜେପିରେ ମିଶିବା ପରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହାବାଦ ରିଭାବାଙ୍କ କରନି ସେନାର ଜଣେ ସଦସ୍ୟ। ରିଭାବା ୨୦୧୬ରେ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କୁ ବିବାହ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ବିଜେପି ୧୮୨ ବିଧାନସଭା ଆସନରୁ ୧୬୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏଥିର ଦଳ ଅଧିକାଂଶ ବରିଷ୍ଠ ନେତାଙ୍କୁ ଟିକେଟ ଦେଇନାହିଁ। ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ଘଟଣା ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଏହାକୁ ଦୃଷ୍ଟିରେ ରଖି ଏଠାରେ ବିଧାୟକ ଭାବେ କାର୍ଯ୍ୟ କରୁଥିବା ବ୍ରିଜେଶ ମେରଜାଙ୍କୁ ବିଜେପି ଟିକେଟ ଦେଇନାହିଁ।

ତାଙ୍କ ବଦଳରେ ୬୦ ବର୍ଷୀୟ କଣ୍ଟିଲାଲ ଅମୃତୟଙ୍କୁ ବିଜେପି ପ୍ରାର୍ଥୀ କରିଛି। ଅମୃତୟ ହେଉଛନ୍ତି ମୋର୍ବିର ପୂର୍ବତନ ବିଧାୟକ। ସେ ପୋଲ ଭୁଶୁଡ଼ିବା ପରେ ଜ୍ୟାକେଟ ପିନ୍ଧି ପାଣିକୁ ଡେଇଁଥିଲେ। ଏଥିସହ କିଛି ଲୋକଙ୍କୁ ଉଦ୍ଧାର ମଧ୍ୟ କରିଥିଲେ। ତାଙ୍କୁ ସମସ୍ତେ ପ୍ରଶଂସା କରୁଥିବାରୁ ଏହାର ଫାଇଦା ବିଜେପି ନିର୍ବାଚନରେ ଉଠାଇବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ଦଳ ତାଙ୍କୁ ମୋର୍ବି ଆସନରୁ ପ୍ରାର୍ଥୀ କରିଛି। ସେହିପରି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ପୁଣିଥରେ ଘାଟୋଲଡିଆରୁ ନିର୍ବାଚନ ଲଢ଼ିବେ।

Leave A Reply

Your email address will not be published.