ଖୁବଶୀଘ୍ର BSKYରେ ସାମିଲ ହେବ ଅଙ୍ଗ ପ୍ରତିରୋପଣ

0

ଭୁବନେଶ୍ବର (ଆମ ଟିଭି): ପୁଣି ଇତିହାସ ରଚିବ ରାଜ୍ୟ ସରକାରଙ୍କ ବିଏସକେୱାଇ ଯୋଜନା । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସ୍କେୱାଇ)ରେ ଅଙ୍ଗ ପ୍ରତିରୋପଣ ଖର୍ଚ ପାଇଁ କୌଣସି ପ୍ୟାକେଜ୍ର ବ୍ୟବସ୍ଥା ନାହିଁ। ତେଣୁ ରାଜ୍ୟରେ ହେଉଥିବା ଅଙ୍ଗ ପ୍ରତିରୋପଣକୁ ବିଏସ୍କେୱାଇରେ ସାମିଲ କରିବା ଲାଗି ରାଜ୍ୟ ସରକାର ବିଚାର କରୁଛନ୍ତି। ଅଙ୍ଗ ପ୍ରତିରୋପଣ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଖର୍ଚ ସଂପର୍କରେ ଯାଞ୍ଚ କରିବା ଲାଗି ଡିଏମ୍ଇଟିଙ୍କୁ ନିର୍ଦେଶ ଦିଆଯାଇଛି। ନିକଟରେ ରାଜ୍ୟ ସରକାରଙ୍କ ହୋଇଥିବା ରାଜ୍ୟ ଅଙ୍ଗ ଓ ଟିସ୍ୟୁ ପ୍ରତିରୋପଣ ସଂସ୍ଥା(ସୋଟୋ)ର ବୈଠକରେ ଏ ସଂପର୍କିତ ନିଷ୍ପତ୍ତି ହୋଇଛି।

ବିଭାଗ ପକ୍ଷରୁ କୁହାଯାଇଛି ଯେ ୨୦୧୯ ମସିହାରେ ସୋଟୋକୁ ପ୍ରତିଷ୍ଠା କରାଯାଇଥିଲା। ରାଜ୍ୟରେ ବର୍ତମାନସୁଦ୍ଧା ୧୩୦୨ ଅଙ୍ଗ ପ୍ରତିରୋପଣ କରାଗଲାଣି। ଏଥିରେ ଜୀବନ୍ତ ଅଙ୍ଗ ପ୍ରତିରୋପଣ ୧୩୦୨ ଥିବା ବେଳେ ୧୦ ମୃତକଙ୍କ ପ୍ରତିରୋପଣ ହୋଇପାରିଛି। ମାତ୍ର ମାନବ ସମ୍ବଳ ନିଯୁକ୍ତିରେ ସୋଟୋ ବିଫଳ ହୋଇଛି। ସୋଟୋକୁ ଅଧିକ କାର୍ୟ୍ୟକ୍ଷମ କରିବା ଲାଗି ଜଣେ ଯୁଗ୍ମ ନିର୍ଦେଶକ, ଗଣମାଧ୍ୟମ ପରାମର୍ଶଦାତା, ପ୍ରତିରୋପଣ ସଂଯୋଜକ ଓ ଡିଇଓ ନିଯୁକ୍ତି ଦିଆଯିବ। ସେହିପରି ରାଜ୍ୟର ୧୦ଟି ହସ୍ପିଟାଲ ବର୍ତମାନସୁଦ୍ଧା ଅଙ୍ଗ ପ୍ରତିରୋପଣ ଓ ଟିସ୍ୟୁ ବ୍ୟାଙ୍କ ପ୍ରତିଷ୍ଠା ଲାଗି ଅନୁମୋଦନ ଦେଇଛନ୍ତି।

ଆଗକୁ ଅଣ-ଅଙ୍ଗ ପ୍ରତିରୋପଣ କେନ୍ଦ୍ରକୁ ଏଥିରେ ସାମିଲ କରିବା ଉପରେ ଗୁରୁତ୍ବ ଦିଆଯାଇଛି। ଅଙ୍ଗ ପ୍ରତିରୋପଣ ସମୟରେ ବିଭିନ୍ନ ପ୍ରକାର ଜରୁରୀ ପରୀକ୍ଷାର ଆବଶ୍ୟକତା ପଡ଼ିଥାଏ। ଯାହାକି କେବଳ ଆପୋଲୋ ହସ୍ପିଟାଲରେ କରାଯାଇଛି। ଏହାସହ ମୃତକଙ୍କ ଶରୀରର ରକ୍ଷଣାବେକ୍ଷଣ ଖର୍ଚ ମଧ୍ୟ ରହିଛି। ତେବେ ଏ ବାବଦ ଖର୍ଚକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଡିଏମ୍ଇଟିଙ୍କ କାର୍ୟ୍ୟାଳୟରୁ ଭରଣା କରାଯାଇପାରିବ। ସେହିପରି ରାଜ୍ୟରେ ଅଙ୍ଗ ପ୍ରତିରୋପଣ ବ୍ୟବସ୍ଥାକୁ ତ୍ବରାନ୍ବିତ କରିବା ଉପରେ ସୋଟୋ ଗୁରୁତ୍ବ ଦେବ। ରାଜ୍ୟ ନୋଡାଲ ଅଧିକାରୀଙ୍କ ସହଯୋଗରେ ଅଧିକରୁ ଅଧିକ ହସ୍ପିଟାଲ କିଭଳି ଏଥିରେ ସାମିଲ ହେବେ ତାହା ଉପରେ ଆଲୋଚନା କରାଯାଇଛି।

Leave A Reply

Your email address will not be published.