ଜାଲ ପତାଞ୍ଜଳି ୱେବସାଇଟ ଚିହ୍ନଟ କଲା ପୋଲିସ
ଚେନ୍ନାଇ: ‘ପତଞ୍ଜଳି ଯୋଗ ଗ୍ରାମ’ ଭଳି ଦିଶୁଥିବା ୨୦ଟି ଜାଲ୍ ‘ୱେବ୍ସାଇଟ୍’ ଚିହ୍ନଟ କରିବା ସହିତ ଉତ୍ତରାଖଣ୍ଡସ୍ଥିତ ହରିଦ୍ବାରରେ ଥିବା ‘ପତଞ୍ଜଳି ଯୋଗ ଗ୍ରାମ’ର ପ୍ରତିନିଧି ବୋଲି ପରିଚୟ ଦେଇଥିବା ୩ଜଣ ବ୍ୟକ୍ତିଙ୍କୁ ପୁଲିସ ଶନିବାର ଦିନ ବିହାରରୁ ଗିରଫ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ, ୨୫ ବର୍ଷିୟ ହରେନ୍ଦ୍ର କୁମାର, ୩୧ ବର୍ଷିୟ ରମେଶ ପଟେଲ୍ ଏବଂ ୨୨ ବର୍ଷିୟ ଆଶିଷ କୁମାର। ଜାଲ୍ ୱେବ୍ସାଇଟ୍ଗୁଡ଼ିକ ବ୍ଲକ୍ କରାଇବା ପାଇଁ ପୁଲିସ ସେଗୁଡ଼ିକର ସବିଶେଷ ବିବରଣ ‘ନ୍ୟାସ୍ନାଲ୍ ଇଣ୍ଟର୍ନେଟ୍ ଏକ୍ସଚେଞ୍ଜ୍’କୁ ପଠାଇଛି।
ହରେନ୍ଦ୍ର ହେଉଛିନ୍ତି ଜଣେ ‘ୱେବ୍ସାଇଟ୍’ ଡେଭ୍ଲପର୍ ଏବଂ ଜନସାଧାରଣଙ୍କୁ ଠକିବା ନିମନ୍ତେ ସେ ଜାଲ୍ ସାଇଟ୍ ତିଆରି କରିଥିଲେ ବୋଲି ପୁଲିସ କହିଛି।
ଠକାମିରେ ପଡ଼ିଥିବା ନୀତିନ ଶର୍ମା ପୁଲିସରେ କରିଥିବା ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ପୁଅର ଆୟୁର୍ବେଦୀୟ ଉପଚାର କରାଇବା ନିମନ୍ତେ ଅନୁସନ୍ଧାନ କରୁଥିବା ବେଳେ ସେ ଇଣ୍ଟର୍ନେଟ୍ରେ ଗୋଟାଏ ‘କଣ୍ଟାକ୍ଟ୍ ନମ୍ବର’ ପାଇଥିଲେ। ସେ ନମ୍ବର୍କୁ ଡାଏଲ୍ କରିବା ପରେ ଫୋନ୍ ରିସିଭ୍ କରିଥିବା ବ୍ୟକ୍ତିଜଣକ ପତଞ୍ଜଳିର ଡାକ୍ତର ସୁନୀଲ ଗୁପ୍ତା ବୋଲି ପରିଚୟ ଦେବା ସହିତ ପଞ୍ଜିକରଣ ପାଇଁ ୧୦,୦୦୦ ଟଙ୍କା ପୈଠ କରିବାକୁ କହିଥିଲେ।