ଜ୍ଞାନବାପି ମସଜିଦ ନେଇ ଏମିତି କହିଲେ ସମାଜବାଦୀ ପାର୍ଟି ସାଂସଦ
ସମ୍ଭଲ୍: ସମ୍ଭଲର ‘ସମାଜବାଦୀ ପାର୍ଟି’ ସାଂସଦ ତଥା ମୁସ୍ଲିମ୍ ନେତା ୯୨ ବର୍ଷିୟ ଶଫିକ୍ୟୁର୍ ରହମନ୍ ବାର୍କ କହିଛନ୍ତି, ବିରୋଧୀମାନେ ଏକତ୍ର ହୋଇ ପ୍ରତିଦ୍ବନ୍ଦ୍ବିତା କଲେ ସେମାନେ (ବିଜେପି) ୫୦ରୁ ଅଧିକ ଆସନ ପାଇବ ନାହିଁ। ସେମାନେ ଉଠାଉଥିବା ମସ୍ଜିଦ୍ ଓ ମନ୍ଦିର ଏବଂ ‘ୟୁନିଫର୍ମ ସିଭିଲ୍ କୋର୍ଡ’ ପ୍ରସଙ୍ଗ ଏକତା ନୁହେଁ ବିଦ୍ବେଷ ସୃଷ୍ଟି କରୁଛି। ୨୦୨୪ ନିର୍ବାଚନ ଆସୁଥିବାରୁ ସେମାନେ ହିନ୍ଦୁମାନଙ୍କ ସମର୍ଥନ ପାଇବାକୁ ଏମିତି କରୁଛନ୍ତି ।
ମନ୍ଦିର-ମସ୍ଜିଦ୍ ବିବାଦ ପ୍ରସଙ୍ଗରେ ପଚାରିବାରୁ ସେ କହିଛନ୍ତି, ପ୍ରତ୍ୟେକ ମସ୍ଜିଦ୍ରେ ସେମାନଙ୍କୁ ମନ୍ଦିର ଦେଖାଯାଉଛି। ସଂଖ୍ୟାଲଘୁମାନେ ଏତେ ଦୁର୍ବଳ ନୁହନ୍ତି ଯେ, ସେମାନେ ସେମାନଙ୍କ ମସ୍ଜିଦ୍କୁ ମନ୍ଦିର କରିବାକୁ ଛାଡ଼ିଦେବେ।
ବାରାଣସୀର ଜ୍ଞାନବାପି ମସ୍ଜିଦ୍-ଶୃଙ୍ଗାର ଗୌରୀ ଏବଂ ମଥୁରାର ଶ୍ରୀକୃଷ୍ଣ ଜନ୍ମଭୂମି-ଶାହି ମସ୍ଜିଦ୍ ମାମଲାକୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, ଏ ସବୁ ଆମ ମସ୍ଜିଦ୍। ତାହାର ସୁରକ୍ଷା ଆମ ସମ୍ପ୍ରଦାୟଙ୍କର ଦାୟିତ୍ବ। ଆମ ଜୀବନଠୁ ଅଧିକ ପ୍ରିୟ ହୋଇଥିବାରୁ ତାହାକୁ ନିରାପଦ ରଖିବାକୁ ପଡ଼ିବ। ମସ୍ଜିଦ୍ ପ୍ରତି ଅବିଚାର ହେଲେ ମୃତ୍ୟୁ ପରେ ଆହ୍ଲାଙ୍କୁ ଜବାବ ଦେବାକୁ ପଡ଼ିବ।