ବରଗଡ଼ : ବରଗଡ଼ ଜ଼ିଲ୍ଲାର ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ହେଉଥିବା ଉପନିର୍ବାଚନ ପାଇଁ ବିଜେପି ଦଳ ତରଫରୁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଆଜି ନାମାଙ୍କନ ଦାଖଲ ଘୋଷଣା କରିଥିଲେ । ସେହିକ୍ରମରେ ସ୍ଥାନୀୟ ଦୋରା ପେଟ୍ରୋଲ ପମ୍ପରୁ ଦଳବଳ ସହିତ ଏକ ବିଶାଳ ରାଲି ବାହାରି ନଗର ପରିକ୍ରମା ସହ ଉପଆଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା । ତେବେ ଉପଆଜ଼ିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଯିବା ପୂର୍ବରୁ ପାର୍ଥି ପୁରୋହିତ ଆନ୍ଦୋଳନରତ ଓକିଲ ଓ ଚାଷୀଙ୍କ ନିକଟକୁ ଯାଇ ଆଲୋଚନା କରିଥିଲେ । ପୂର୍ବ ଅନୁରୋଧକୁ ସେମାନେ ଦୋହରାଇ ନାମାଙ୍କନ ନକରିବାକୁ ଅନୁରୋଧ କରିଥିଲେ ।
ଶେଷରେ ତାଙ୍କ କଥା ରକ୍ଷା କରି ପୁରୋହିତ ନାମାଙ୍କନ ଦାଖଲ ନକରି ଉପଆଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଫେରି ଆସିଥିବା ଜଣାପଡିଛି । ଏନେଇ ତାଙ୍କ ପ୍ରତିକ୍ରିୟା ନେବା ପରେ ସରକାର ଚାଷୀଙ୍କ ପ୍ରତି ଅନ୍ୟାୟ କରିଥିବାରୁ ନାମଙ୍କନାରୁ ଓହିରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ସମଗ୍ର ଘଟଣାକୁ ନେଇ ପଦ୍ମପୁର ସମେତ ରାଜ୍ୟରେ ହଇଚଇ ଖେଳିଯାଇଛି । ଆଜିର ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସଂସଦ ସୁରେଶ ପୂଝରୀ, ସଂସଦ ବସନ୍ତ ପଣ୍ଡା, ସଂସଦ ସଂଗୀତା ସିଂହଦେଓ, ବିଧାୟକ ମୁକେଶ ମହାଲିଙ୍ଗ, ବିଧାୟକ ନାଉରି ନାଏକ, ବରଗଡ଼ ଜ଼ିଲ୍ଲା ସଭାପତି ଅଶ୍ୱିନୀ ଷଢଙ୍ଗିଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀମାନେ ସାମିଲ ଥିଲେ ।