ପଦ୍ମପୁର ପାଇଲା ଜିଲ୍ଲା ମାନ୍ୟତା, ପ୍ରତିଶ୍ରୁତି ଦେଲେ ନବୀନ
ଭୁବନେଶ୍ୱର :ପଦ୍ମପୁର ହେବ ଜିଲ୍ଲା ଆଜି ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ସଦସ୍ୟଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।୨୦୨୩ ଡିସେମ୍ବର ୩୧ ସୁଦ୍ଧା ପଦ୍ମପୁରକୁ ମିଳିବ ଜିଲ୍ଲା ମାନ୍ୟତା । ପଦ୍ମପୁର ଉପ ନିର୍ବାଚନ ଲାଗି ବିଜେଡି ଇସ୍ତାହାରରେ ବି ଏହା ସ୍ଥାନ ପାଇବ ।
ପଦ୍ମପୁର ଉପନିର୍ବାଚନ ନିମନ୍ତେ ଆଚରଣ ସଂହିତା ଲାଗୁ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ହିସାବରେ ନୁହେଁ, ବିଜେଡିର ମୁଖିଆ ହିସାବରେ ଅଞ୍ଚଳବାସୀଙ୍କୁ ମିଳିଛି ଏହି ପ୍ରତିଶ୍ରୁତି। ଏହି ଖବର ପ୍ରଚାରିତ ହେବା ପରେ ପଦ୍ମପୁରବାସୀ ଉତ୍ସାହିତ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ ବୋଲି କହିଛନ୍ତି।
ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ନବୀନ ନିବାସରୁ ବାହାରି କମିଟିର ସଦସ୍ୟମାନେ ଆଲୋଚନା ସଫଳ ହୋଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି। ହେଲେ ଏ ସମ୍ପର୍କରେ ଇସ୍ତାହାରରେ ଉଲ୍ଲେଖ ହେବା ପରେ ହିଁ ପଦ୍ମପୁରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରତ୍ୟାହାର କରାଯିବ ବୋଲି କମିଟି ପକ୍ଷରୁ କୁହାଯାଇଛି।